ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିପାରିବ କି?

ଶାହଙ୍କ ଗସ୍ତ ଓ ନୂତନ ପ୍ରଭାରୀଙ୍କ ନିଯୁକ୍ତି ପରେ ଦଳରେ ବଢ଼ିଛି ଉତ୍ସାହ

କୋଲକାତା : ପ୍ରାୟ ବର୍ଷେ କାଳ ନୀରବ ରହିବା ପରେ ପଶ୍ଚିମବଙ୍ଗରେ ବିଜେପି ପୁଣି ରାସ୍ତାକୁ ଓହ୍ଲାଇଛି। ମଙ୍ଗଳବାର ବିଜେପି ‘ନବନ୍ନା ଚଲୋ’ ଅଭିଯାନ ଜରିଆରେ ମମତା ସରକାର ଉପରେ ଜୋରଦାର ବର୍ଷିଛି। ପୁଲିସ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ହୋଇଛି। ଶୁଭେନ୍ଦୁ ଅଧିକାରୀଙ୍କ ସମେତ କେତେଜଣ ନେତାଙ୍କୁ ଅଟକ ରଖାଯାଇଛି। ବର୍ତ୍ତମାନ ସମୟରେ ଏହା ବିଜେପିର ମମତା ସରକାର ବିରୋଧରେ ବଡ଼ ଅଭିଯାନ। ସୂତ୍ର ଅନୁସାରେ ପଶ୍ଚିମବଙ୍ଗ ବିଜେପି ସମ୍ପ୍ରତି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦଳର ରାଷ୍ଟ୍ରୀୟ ନେତୃତ୍ବ ମଧ୍ୟ ପୁଣିଥରେ ପଶ୍ଚିମବଙ୍ଗ ଆଡ଼କୁ ଧ୍ୟାନ ଦେଇଛନ୍ତି। ଅମିତ ଶାହଙ୍କ ଗସ୍ତ ଓ ପଶ୍ଚିମବଙ୍ଗ ପ୍ରଭାରୀ ରୂପରେ ସୁନୀଲ ବଂସଲଙ୍କ ନିଯୁକ୍ତି ଦ୍ବାରା ଦଳରେ ଆତ୍ମବିଶ୍ବାସ ଜାଗିଛି। କିନ୍ତୁ ପ୍ରଶ୍ନ ହେଉଛି ସତରେ କ’ଣ ଏହାଦ୍ବାରା କାମ ହେବ ନା ଆଗକୁ ବଢ଼ିବାର ରାସ୍ତା ଏବେ ବି ମୁସ୍କିଲ ରହିଛି? ବିଜେପି କ’ଣ ସତରେ ରାଜ୍ୟରେ କ୍ଷମତାକୁ ଆସିପାରିବ?

ଲୋକଙ୍କ କହିବା ଅନୁସାରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତୃଣମୂଳ କଂଗ୍ରେସ ନେତାମାନଙ୍କ ଉପରେ ଚଢ଼ଉ କରିବାରୁ ଏଇଆ ଆଭାସ ହେଉଛି କି କେନ୍ଦ୍ର କେବଳ ରାଜ୍ୟଗୁଡ଼ିକରେ କ୍ଷମତାସୀନ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ଉପରେ ଦାଉ ସାଧୁଛି। ଏହାକୁ ବିରୋଧୀମାନେ ପ୍ରତିଶୋଧମୂଳକ ରାଜନୀତି ବୋଲି କହୁଛନ୍ତି। ଅନ୍ୟପକ୍ଷରେ ବିଜେପି ତା’ର ପଦାଧିକାରୀ ପାର୍ଟି କ୍ୟାଡର, ଖାସ କରି ଯୁବ ବ୍ରିଗେଡ୍‌ମାନଙ୍କୁ ମଜବୁତ କରିବା ପାଇଁ କ୍ରମାଗତ ଭୂମିସ୍ତରରୁ କାମ କରୁଛି।

ଗତ ମେ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିବା ପରେ ଦଳ ଭିତରେ ନୂଆ ଜୀବନ ପଶିଛି। ସେ ଦଳ କ୍ୟାଡରମାନଙ୍କୁ ଏହି ଆଶ୍ବାସନା ଦେଇଛନ୍ତି କି ସେ ରାଜ୍ୟ ବିଜେପିକୁ ସିଧା ମନିଟର କରିବେ। ଏହାଦ୍ବାରା ଗତ ବିଧାନସଭା ନିର୍ବାଚନରେ ହାରିବା ପରେ ହତୋତ୍ସାହ ହୋଇପଡ଼ିଥିବା ଦଳୀୟ କର୍ମୀମାନଙ୍କ ଭିତରେ ପୁଣି ନୂତନ ଉତ୍ସାହ ଜାଗିଉଠିଛି। ତଥାପି ରାଜ୍ୟରେ ଆଗକୁ ବଢ଼ିବା ବିଜେପି ପାଇଁ ଏତେଟା ସହଜ ନୁହେଁ। ଉପନିର୍ବାଚନ ଓ ସ୍ଥାନୀୟ ନିର୍ବାଚନଗୁଡ଼ିକରେ ବିଜେପିର ହାର ଏହା ସୂଚାଉଛି। ବିଜେପି ମହାସଚିବ କୈଳାସ ବିଜୟବର୍ଗୀୟ ମଧ୍ୟ ବିଧାନସଭା ନିର୍ବାଚନରେ ହାରିବା ପରେ ତାଙ୍କ ଉପରେ ଟିଏମ୍‌ସି ସରକାରର କାର୍ଯ୍ୟାନୁଷ୍ଠାନ ଚାଲିଥିବାରୁ ସେ ଦଳଠାରୁ ଦୂର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର