ବାପାଙ୍କ ପାଇଁ ସବୁକିଛି କରିପାରିବି: ଲାଲୁଙ୍କ ଝିଅ

ପାଟନା : ଆର୍‌ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର କିଡ଼ନିଜନିତ ସ୍ବାସ୍ଥ୍ୟା ସମସ୍ୟା ରହିଛି। ଲାଲୁଙ୍କର କିଡ଼ନି ପ୍ରତିରୋପଣ ହେବ। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଡନି ଦେବେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଥିବା ବେଳେ ରୋହିଣୀ ନିଜେ ଆଜି ଏକ ଟ୍ବିଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି।

ବାପାଙ୍କୁ କିଡ଼ନି ଦେବା କଥା ସ୍ପଷ୍ଟ କରିବା ସହ ରୋହିଣୀ ବାପାଙ୍କ ସହ ତାଙ୍କର ଏକ ପିଲାଦିନର ଫଟୋ ସେୟାର କରିଛନ୍ତି। ଫ‌ଟୋ ପୋଷ୍ଟ୍‌ କରି ରୋହିଣୀ କହିଛନ୍ତି, ମୋ ମା’ ଏବଂ ବାପା ମୋ ପାଇଁ ଭଗବାନ। ମୁଁ ସେମାନଙ୍କ ପାଇଁ ସବୁକିଛି କରିପାରିବି। ତୁମମାନଙ୍କ ସଦିଚ୍ଛା ମତେ ଆହୁରି ଅଧିକ ସୁଦୁଢ଼ କରିଛି। ମୁଁ ସମସ୍ତଙ୍କ ଠାରୁ ଭଲପାଇବା ଏବଂ ସମ୍ମାନ ପାଇଛି। ସମସ୍ତଙ୍କ ପାଖରେ ମୁଁ କୃତଜ୍ଞ। ଅନ୍ୟ ଏକ ‌ପୋଷ୍ଟ୍‌ କରି ରୋହିଣୀ କହିଛନ୍ତି, ଯେଉଁ ବାପା ମତେ କହିବା ଶିଖାଇଛନ୍ତି, ଆଜି ତାଙ୍କ ପାଇଁ ମୋ ଶରୀର ଏକ କ୍ଷୁଦ୍ର ଅଂଶ ଯଦି ମୁଁ ଦେଇପାରିବି ତେବେ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିବି। ବାପା ଏବଂ ମା’ ଏହି ପୃଥିବୀରେ ଭଗବାନ। ସମସ୍ତେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ଉଚିତ।

ସମ୍ବନ୍ଧିତ ଖବର