ବିଭାଗ ବଣ୍ଟନ ପରେ ଫଡନାବିସ କହିଲେ; ଆବଶ୍ୟକ ହେଲେ ବିଭାଗ ଅଦଳବଦଳ କରାଯାଇପାରିବ

ମୁମ୍ବାଇ: ମହାରାଷ୍ଟ୍ରରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ କ୍ୟାବିନେଟ ସମ୍ପ୍ରସାରଣର ଏକ ସପ୍ତାହ ପରେ ଆଜି ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଗର ଉନ୍ନୟନ ସମେତ ୧୧ଟି ବିଭାଗର ଦାୟିତ୍ବ ନେବା ସହ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇନଥିବ‌ା ବିଭାଗର ପରିଚାଳନା କରିବେ। ଏହା ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଏବଂ ଅର୍ଥ ବିଭାଗର ଦାୟିତ୍ବ ଦିଆଯାଇଛି।

ତେବେ ବିଭାଗ ବଣ୍ଟନ ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏବଂ ଏକନାଥ ସିନ୍ଦେ କ୍ୟାମ୍ପ ଆବଶ୍ୟକ ହେଲେ ପରବର୍ତ୍ତୀ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ କିଛି ବିଭାଗ ଅଦଳବଦଳ କରିପାରିବେ। ବିଭାଗ ବଣ୍ଟନକୁ ନେଇ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଧ୍ୟରେ କୌଣସି ବିବାଦ ନାହିଁ। ଯଦି ଆବଶ୍ୟକ ହୁଏ ତେବେ ପରବର୍ତ୍ତୀ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ କିଛି ବିଭାଗ ଅଦଳବଦଳ କରାଯାଇପାରିବ।

ତେବେ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଏବଂ ଅର୍ଥ ବିଭାଗର ଦାୟିତ୍ବ ଦିଆଯିବା ସହ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବ‌ା ରାଧାକୃଷ୍ଣ ବିଖେ-ପାଟିଲଙ୍କୁ ରାଜସ୍ୱ, ପଶୁପାଳନ ଏବଂ ଦୁଗ୍ଧଜାତ ସାମଗ୍ରୀ ବିକାଶ ବିଭାଗ ମିଳିଥିବା ବେଳେ ସୁଧୀର ମୁଙ୍ଗନ୍ତୀୱାରଙ୍କୁ ଜଙ୍ଗଲ, ସଂସ୍କୃତି ଏବଂ ମତ୍ସ୍ୟଚାଷ ବିଭାଗ, ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଏବଂ ବୈଷୟିକ ଶିକ୍ଷା, ବୟନ ଶିଳ୍ପ ଏବଂ ସଂସଦୀୟ ବ୍ୟାପାର ବିଭାଗ, ଡକ୍ଟର ବିଜୟକୁମାର ଗଭିଟଙ୍କୁ ଆଦିବାସୀ ବିକାଶ ବିଭାଗ, ଗିରିଶ ମହାଜନଙ୍କୁ ଗ୍ରାମ ବିକାଶ ଏବଂ ପଞ୍ଚାୟତୀ ରାଜ, ଡାକ୍ତରୀ ଶିକ୍ଷା, କ୍ରୀଡା ଏବଂ ଯୁବ କଲ୍ୟାଣ ବିଭାଗ, ଗୁଲାବରାଓ ପାଟିଲଙ୍କୁ ଜଳ ଯୋଗାଣ ଏବଂ ପରିମଳ ବିଭାଗ, ଦାଦା ଭୁସେଙ୍କୁ ବନ୍ଦର ଏବଂ ଖଣି ବିଭାଗ, ସଞ୍ଜୟ ରାଠୋଡଙ୍କୁ ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗ, ସୁରେଶ ଖାଡେଙ୍କୁ ଶ୍ରମ ବିଭାଗ, ସନ୍ଦୀପନ ଭୁମରେଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଏବଂ ଉଦ୍ୟାନ କୃଷି ବିଭାଗ, ଉଦୟ ସାମନ୍ତଙ୍କୁ ଶିଳ୍ପ, ପ୍ରଫେସର ତାନଜୀ ସାୱନ୍ତଙ୍କୁ ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରବିନ୍ଦ୍ର ଚଭନଙ୍କୁ ପୂର୍ତ୍ତ ବିଭାଗ (ସରକାରୀ ଉଦ୍ୟୋଗକୁ ବାଦ ଦେଇ) ଖାଦ୍ୟ ଏବଂ ଯୋଗାଣ ଏବଂ ଉପଭୋକ୍ତା ସୁରକ୍ଷା, ଅବଦୁଲ ସତ୍ତାରଙ୍କୁ କୃଷି, ଦୀପକ କେସରକରଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ମରାଠୀ ଭାଷା, ଅତୁଲ ସେଭଙ୍କୁ ସହଯୋଗ, ଅନ୍ୟାନ୍ୟ ପଛୁଆ ଏବଂ ବହୁଜନ କଲ୍ୟାଣ ବିଭାଗ, ଶମ୍ଭୁରାଜ ଦେଶାଇଙ୍କୁ ରାଜ୍ୟ ଅବକାରୀ ଶୁଳ୍କ ଏବଂ ମଙ୍ଗଲ ପ୍ରଭାତ ଲୋଧାଙ୍କୁ ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର