କରୋନା ଅଦୃଶ୍ୟ ଶତ୍ରୁ: ଆମେ ଲଢ଼ିବା ଓ ଜିତିବା

ପୀଡ଼ିତଙ୍କ କଷ୍ଟକୁ ଅନୁଭବ କରିପାରୁଛି: ମୋଦୀ

ନୂଆଦିଲ୍ଲୀ : କରୋନା ଭୂତାଣୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅଦୃଶ୍ୟ ଏବଂ ବହୁରୂପୀ ଶତ୍ରୁ ବୋଲି ବର୍ଣ୍ଣନା କରିବା ସହିତ ଏହା ବିରୋଧରେ ଲଢ଼େଇ ଜାରି ରଖିବା ଓ ଜିତିବା ବୋଲି କହିଛନ୍ତି। ଏହି ଦ୍ରୁତ ପରିବର୍ତ୍ତିତ ଶତ୍ରୁ ସମଗ୍ର ବିଶ୍ବ ପାଇଁ ଆହ୍ବାନ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। କରୋନା ଭୂତାଣୁ ଯୋଗୁ ଆମେ ଆମ ଅତି ନିକଟ ସଂପର୍କୀୟଙ୍କୁ ହରାଇଛୁ। ନାଗରିକମାନେ ଏଥିପାଇଁ ଯେଉଁ କଷ୍ଟ ଦେଇ ଗତି କରୁଛନ୍ତି ଏବଂ ଅନୁଭବ କରୁଛନ୍ତି ତାହାକୁ ସମାନ ଭାବେ ମୁଁ ବି ଅନୁଭବ କରୁଛି। କୃଷକମାନଙ୍କ ପାଇଁ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ‌ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନ ସେବକ ଭାବେ ଆପଣମାନଙ୍କ ପ୍ରତ୍ୟେକ ଭାବାବେଗକୁ ମୁଁ ଅନୁଭବ କରିପାରୁଛି ବୋଲି ସେ କହିଛନ୍ତି।

ଦେଶ ଏବେ ଏକ ଅଦୃଶ୍ୟ ଏବଂ ଆକୃତି ବଦଳାଉଥିବା ଶତ୍ରୁ ସହିତ ଲଢ଼ୁଛି। କରୋନା ଭୂତାଣୁ ଏକାଧିକ ଥର ରୂପ ବଦଳାଇଲାଣି। ଭାରତରେ ବର୍ତ୍ତମାନ କରୋନାର ଯେଉଁ ଭୟଙ୍କର ଦ୍ବିତୀୟ ଲହର ଦେଖାଦେଇଛି ସେଥିପାଇଁ ରୂପାନ୍ତରିତ ଭୂତାଣୁ ଦାୟୀ ବୋଲି କୁହାଯାଉଛି। ଗତ ୧୦୦ ବର୍ଷ ଭିତରେ ଏଭଳି ମହାମାରୀ ଦେଖାଦେଇ ନଥିଲା। ପ୍ରତି ପଦକ୍ଷେପରେ ଏହି ମହାମାରୀ ଆମକୁ ପରୀକ୍ଷା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୮ କୋଟି ଲୋକ ଟିକା ନେଇ ସାରିଲେଣି। ଦେଶବ୍ୟାପୀ ସରକାରୀ ହସ୍ପିଟାଲଗୁଡ଼ିକରେ ଲୋକଙ୍କୁ ମାଗଣା ଟିକା ଦିଆଯାଉଛି। ତେଣୁ ପାଳି ଆସିଲେ ଟିକା ନେଇଯିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଟିକା କରୋନା ବିରୋଧରେ ଏକ ଢାଲ ଭାବେ କାର୍ଯ୍ୟ କରିବ ଏବଂ ଗୁରୁତର ସଂକ୍ରମଣରୁ ଏହା ଆମକୁ ସୁରକ୍ଷା ଦେବ। ତେବେ ଆମେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଭଳି ସତର୍କତାକୁ ମଧ୍ୟ ଭୁଲିବା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ଲଢ଼େଇ କରିବା ଏବଂ କରୋନା ବିରୋଧରେ ଜିତିବା ବୋଲି ‌ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ଗ୍ରାମାଞ୍ଚଳ ଲୋକଙ୍କୁ ସତର୍କ କରାଇବାରେ ଗ୍ରାମ ପଞ୍ଚାୟତଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି। ସମସ୍ତଙ୍କୁ ଟିକା ଯୋଗାଣ ଏବଂ ସ୍ବାସ୍ଥ୍ୟସେବାରେ ସୁଧାର ପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି। ପ୍ରଧାନମନ୍ତ୍ରୀ ଗତ କିଛି ସପ୍ତାହ ମଧ୍ୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଶେଷଜ୍ଞ, ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକାଧିକ ବୈଠକ କରିସାରିଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଦେଶର ବଡ଼ ବଡ଼ ମହାନଗରୀରେ ସ୍ଥିତି କିଛିଟା ସୁଧୁରିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ଏବଂ ଦକ୍ଷିଣ ଭାରତରେ ସଂକ୍ରମଣ ଏବେ ବି ଉଦ୍‌ବେଗଜନକ ରହିଛି।

ସମ୍ବନ୍ଧିତ ଖବର