ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରୁଛି କି ଭାରତ ? ଗୋପନ ରୁଷ ଗସ୍ତରେ ଡୋଭାଲ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭୫ ଦିନରେ ପହଞ୍ଚିଥିଲେ ବି କେବେ ଶେଷ ହେବ, ସେ ନେଇ କେହି ଆକଳନ କରିପାରୁନାହାନ୍ତି । ଏହି ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବର ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ଭାରତ ଏକ ଆଶାର ଆଲୋକ ସୃଷ୍ଟି କରିଥିବା କୁହାଯାଉଛି ।

ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ବୁଧବାରଦିନ ଏକ ଗୋପନ ରୁଷ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି । ଏହି ଦୁଇଦିନିଆ ଗସ୍ତର କାର୍ଯ୍ୟକ୍ରମକୁ ଗୋପନ ରଖାଯାଇଛି । ଏକ ଭାରତୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ ଯୁଦ୍ଧ ସମାପ୍ତ ପାଇଁ ଭାରତ ମଧ୍ୟସ୍ଥତା ଆରମ୍ଭ କରିଦେଇଛି । ଏହା ଅନୁଯାୟୀ ଭାରତ ରୁଷକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିବ । ଡୋଭାଲ ଏହି ଗସ୍ତ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବି ଭେଟିବେ । ୟୁକ୍ରେନ ପୂର୍ବରୁ ଭାରତର ମଧ୍ୟସ୍ଥତାକୁ ସ୍ବାଗତ କରିଥିବାବେଳେ ଯଦି ରୁଷ ରାଜି ହୁଏ ଭାରତ ମଧ୍ୟସ୍ଥତା ଭୂମିକା ନିର୍ବାହ କରିବାକୁ ଆଗେଇ ଆସିବ ।

ଭାରତ ଯଦି ଯୁଦ୍ଧ ସମାପ୍ତ କରିବାରେ ସକ୍ଷମ ହୁଏ ତେବେ ସମଗ୍ର ବିଶ୍ବରେ ବିଶେଷକରି ୟୁରୋପରେ ଭାରତର ସମ୍ମାନ ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ଭାରତର ମଧ୍ୟ ଏକ ସ୍ବାର୍ଥ ରହିଛି । ରୁଷ ଉପରେ କଟକଣା ଲାଗୁ ହେବା ଯୋଗୁଁ ଭାରତକୁ ପ୍ରତିରକ୍ଷା ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯୁଦ୍ଧ ସମାପ୍ତ ହେଲେ ଏହି ସଂକଟ ଦୂର ହେବ ।

 

 

ସମ୍ବନ୍ଧିତ ଖବର