ନୂଆଦିଲ୍ଲୀ : ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର ଦିନ କହିଛନ୍ତି ଯେ ଚୀନର କଥା ଓ କାମ ମଧ୍ୟରେ ତାଳମେଳ ନାହିଁ । ଏଣୁ ସେମାନଙ୍କୁ ଭରସା କରିହେବ ନାହିଁ ଓ ଆମକୁ ସେମାନଙ୍କ ଉପରେ ନଜର ରଖିବାକୁ ହେବ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ବାରମ୍ବାର ଦୃଢୋକ୍ତି ପ୍ରକାଶ କରୁଛି ଯେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ଲଦାଖ ମୁକାବିଲାର ସମାଧାନ ଗୁରୁତ୍ୱପୂର୍ଣ୍ଣ ।

Advertisment

"ଆମେ ସମସ୍ତେ ଜାଣୁ ଯେ ଚୀନ ଯାହା କହୁଛି ଏବଂ ଯାହା କରୁଛି ସେଥିରେ କେତେ ଫରକ ରହିଛି । ଏହା ମଧ୍ୟ ସେମାନଙ୍କର ପ୍ରକୃତି ଏବଂ ଚରିତ୍ରର ଏକ ଅଂଶ । ଏଣୁ ଆମେ ସେମାନଙ୍କ କଥା ଉପରେ ଗୁରୁତ୍ବ ନଦେଇ ସେମାନଙ୍କ କାମ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ।

ଚୀନ୍ ସହିତ ଏହି ଅଞ୍ଚଳରେ ସୀମାରେ ଚାଲିଥିବା ଅଚଳାବସ୍ଥା ସଂପର୍କରେ ସେ କହିଛନ୍ତି ଯେ ପୂର୍ବ ଲଦାଖର ପରିସ୍ଥିତି ଏବେ "ସ୍ଥିର କିନ୍ତୁ ଅପ୍ରତ୍ୟାଶିତ" ରହିଛି । ଏଣୁ ଏ ଅଂଚଳରେ ମୁତୟନ ହୋଇଥିବା ସୈନ୍ୟ ସଂଖ୍ୟାରେ କୌଣସି ହ୍ରାସ କରାଯାଇ ନାହିଁ । ଆହୁରି ମଧ୍ୟ ଶୀତ ଋତୁକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।