ମମତାଙ୍କ ‘ମା ରୋଷେଇ ଘର’ ନିର୍ବାଚନୀ ବୈତରଣୀ ପାର କରାଇବାରେ ସହାୟକ ହେବ କି ?

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ହରାଇ ରାଜ୍ୟର ଶାସନ କ୍ଷମତା ନିଜ ହାତକୁ ନେବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ଫୁଲଦମ୍‌ରେ କସରତ୍‌ ଆରମ୍ଭ କରିଦେଇଛି। ଟିଏମ୍‌ସିର ଅସନ୍ତୁଷ୍ଟ ନେତାମାନଙ୍କୁ ବିଜେପି ନିଜ ଦଳରେ ସାମିଲ କରି ଦିଦିଙ୍କ ଉପରେ ଚାପ ସୃଷ୍ଟି କରୁଛି।

କିନ୍ତୁ, ଏଥିରେ ଦବି ନଯାଇ ଦିଦି ନିର୍ବାଚନରେ ନିଜ ସପକ୍ଷରେ ଭୋଟ ଗୋଟାଇବା ପାଇଁ ଖେଳ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଦିଦି ଖେଳିଛନ୍ତି ଏକ ମାଷ୍ଟର ଷ୍ଟ୍ରୋକ୍‌। ରାଜ୍ୟର ଗରିବ ଓ ଜନତାଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲକ୍ଷ୍ୟରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆରମ୍ଭ କରିଛନ୍ତି ସବସିଡି ଯୁକ୍ତ ‘ମା’ ରୋଷେଇ ଘର। ମମତା ବାନାର୍ଜୀଙ୍କ ‘ମା’ ରୋଷେଇ ଘରେ ମାତ୍ର ୫ ଟଙ୍କା ବିନିମୟରେ ଉପଲବ୍ଧ ହେଉଛି ଭାତ, ଡାଲି, ପରିବା (ସବଜୀ) ତରକାରି ଏବଂ ଅଣ୍ଡା ତରକାରି।

ତେବେ, ଭାରତୀୟ ନିର୍ବାଚନ ରାଜନୀତିରେ ଗରିବ ଭୋଟରଙ୍କ ଭୋଟକୁ ହାତେଇବା ଲକ୍ଷ୍ୟରେ ଏପରି ସବସିଡି ଯୁକ୍ତ କ୍ୟାଣ୍ଟିନ୍‌ କିଛି ନୂଆ କଥା ନୁହେଁ। ସର୍ବପ୍ରଥମେ ତାମିଲନାଡୁରେ ଏପରି ବ୍ୟବସ୍ଥାର ପ୍ରଚଳନ ଆରମ୍ଭ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେ ସୁପ୍ରିମୋ ସ୍ୱର୍ଗତଃ ଜୟଲଳିତା। ୨୦୧୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ତାମିଲନାଡୁରେ ଶୁଭାରମ୍ଭ କରିଥିଲେ ‘ଆମ୍ମା କ୍ୟାଣ୍ଟିନ’। ଜୟଲଳିତାଙ୍କ ‘ଆମ୍ମା କ୍ୟାଣ୍ଟିନ୍‌’ରେ ୧ ଟଙ୍କାରେ ଏକ ପ୍ଲେଟ୍‌ ଇଡଲି; ୫ ଟଙ୍କାରେ ଭାତ ଓ ସମ୍ବର; ୩ଟଙ୍କାରେ ଦହି ଓ ଭାତ ଯୋଗାଇ ଦିଆଯାଉଥିଲା। ‘ଆମ୍ମା କ୍ୟାଣ୍ଟିନ’ ଜୟଲଳିତାଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଥିଲା। ଖାସ୍‌ ଏହି କାରଣ ପାଇଁ ୨୦୧୪ ଲୋକସଭା ନିର୍ବାଚନଏଆଇଏଡିଏମ୍‌କେ ୩୯ ଟି ଲୋକସଭା ଆସନ ମଧ୍ୟରୁ ୩୭ଟି ଜିତିବା ସହ ୨୦୧୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ଜୟଲଳିତାଙ୍କୁ ବିପୁଳ ବିଜୟ ଦେଇଥିଲା।

NDTV

ପରବର୍ତ୍ତୀ ସମୟରେ ଜୟଲଳିତାଙ୍କ ଆମ୍ମା କ୍ୟାଣ୍ଟିନର ନିର୍ବାଚନୀ ସଫଳତାକୁ ଦେଖିବା ପରେ ଅନେକ ରାଜ୍ୟ ସମାନ ସବସିଡିଯୁକ୍ତ ଭୋଜନ ପ୍ୟାକେଜ୍‌ ଯୋଜନାର ଶୁଭାରମ୍ଭ କରିଥିଲେ କିମ୍ବା ଏଥିପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ଜୟଲଳିତାଙ୍କ ପରି ସଫଳତା କାହାରିକି ମିଳି ନଥିଲା। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ୨୦୧୬ରେ ଏନ୍‌ଟିଆର କ୍ୟାଣ୍ଟିନ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ତାଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ହାରି ଯାଇଥିଲା। ପରେ, ବର୍ତ୍ତମାନର ଓ୍ଵାଇଏସ୍‌ଆର ଜଗନ୍‌ ମୋହନ ରେଡ୍ଡୀଙ୍କ ସରକାର ଏନ୍‌ଟିଆର କ୍ୟାଣ୍ଟିନକୁ ବନ୍ଦ କରିଦେଇଥିଲେ।

ସେହିପରି କର୍ଣ୍ଣାଟକରେ କଂଗ୍ରେସର ସିଦ୍ଧରମେୟାଙ୍କ ସରକାର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇବା ପାଇଁ ୨୦୧୭ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉଦ୍‌ଘାଟିତ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରିଥିଲେ। କିନ୍ତୁ, ୨୦୧୮ ବିଧାନସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିପାରି ନଥିଲା। ଉତ୍ତରପ୍ରଦେଶରେ ୨୦୧୭ରେ, ତତ୍କାଳୀନ ଶାସକ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଯଦି ରାଜ୍ୟରେ ସରକାର ଗଢ଼େ ତେବେ ରାଜ୍ୟର ଗରିବ ଜନତାଙ୍କ ପାଇଁ ଏକ ସବସିଡି ଯୁକ୍ତ କ୍ୟାଣ୍ଟିନ୍‌ ଖୋଲିବ ବୋଲି ନିର୍ବାଚନୀ ପ୍ରତଶ୍ରୁତି ଦେଇଥିଲେ; ହେଲେ ଏହା ମଧ୍ୟ ଫେଲ ମାରିଥିଲା।

ତଥାପି, ସବସିଡିଯୁକ୍ତ ଭୋଜନ ପ୍ୟାକେଜ୍‌ ଧାରଣା ଶାସକ ଦଳ ମଧ୍ୟରେ ଏକ ହିଟ୍‌ ହୋଇଛି। ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ସରକାର ୨୦୨୦ରେ ଶିବ ଭୋଜନ ଯୋଜନା ଆରମ୍ଭ କରି ୧୦ ଟଙ୍କାରେ ଗରିବ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ତେଲେଙ୍ଗାନାରେ, ସବସିଡିଯୁକ୍ତ ଭୋଜନ ପାଇଁ ଅନ୍ନପୂର୍ଣ୍ଣା ଯୋଜନା ମାର୍ଚ୍ଚ ୨୦୧୪ରେ ହାଇଦ୍ରାବାଦରେ ଆରମ୍ଭ କରାଯାଇଥିଲା। ଏହା ପରେ ପ୍ରତ୍ୟେକ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଶାସକ ଟିଆରଏସ ପ୍ରତିଟି ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ଏ ପରିସ୍ଥିତିରେ ମମତା ବାନାର୍ଜୀଙ୍କ ‘ମା ରୋଷେଇ ଘର’ ମମତା ଓ ତାଙ୍କ ତୃଣମୂଳକୁ ନିର୍ବାଚନୀ ବୈତରଣୀ ପାର କରିବାରେ କେତେ ‘ମଦତ୍‌’ ଦେବ; ତାହା କେବଳ ମାତ୍ର ସମୟ ହିଁ କହିବ।

ସମ୍ବନ୍ଧିତ ଖବର