ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦ ଲାଗି ଅଯୋଗ୍ୟ ଘୋଷଣା କରାଯାଇପାରିବ କି ? କ’ଣ କହୁଛି ଆଇନ୍‌…

ନୂଆଦିଲ୍ଲୀ: ଗୁଜରାଟ ସୁରତ ସହରର ଏକ ଅଦାଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜାମିନ ପ୍ରଦାନ କରାଯାଇଛି।  ଏହି ସମୟ ମଧ୍ୟରେ ସେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ।

‘ସବୁ ଚୋରଙ୍କ ପାଖରେ ମୋଦୀ ସାଙ୍ଗିଆ କେମିତି ଅଛି’? ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ଏପରି କହିବା ପରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ।

ପୂର୍ବରୁ ରାହୁଲ ଗାନ୍ଧୀ ଏହି ମାମଲାରେ ନିଜକୁ ଦୋଷୀ ବୋଲି ସ୍ୱୀକାର କରିଥିଲେ ମଧ୍ୟ ଅଦାଲତ ତାଙ୍କୁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି (ଗୁରୁବାର) ସିଜେଏମ୍‌ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦେଇଥିବା ଏକମାତ୍ର ଆଶ୍ୱସ୍ତି ହେଉଛି ୩୦ ଦିନର ଜାମିନ, ଯାହା ତାଙ୍କ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଉଚ୍ଚ ନ୍ୟାୟାଳୟରେ ତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିପାରିବେ।

ତେବେ, ସିଜେଏମ୍‌ କୋର୍ଟଙ୍କ ଏହି ରାୟ ପରେ ଜନପ୍ରତିନିଧି ଆଇନରେ ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତରେ କ’ଣ ରହିଛି ବିଧି ବ୍ୟବସ୍ଥା?…

  •  ଜନ ପ୍ରତିନିଧି (ଆରପି) ଆଇନର ଧାରା ୮(୩)ରେ କୁହାଯାଇଛି ଯେ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏବଂ ଦୁଇ ବର୍ଷ କିଂବା ଅଧିକ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେବା ତାରିଖରୁ ଅଯୋଗ୍ୟ ଘୋଷଣା କରାଯିବ।
  • ଏହାବ୍ୟତୀତ ଦଣ୍ଡାଦେଶ ଭୋଗିବା ପରେ ଉକ୍ତ ବ୍ୟକ୍ତିଙ୍କୁ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ।
    ଏହି ଅନୁଯାୟୀ ରାହୁଲ ଗାନ୍ଧୀଙ୍କୁ ତୁରନ୍ତ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇପାରେ। ଲୋକସଭା ସଚିବାଳୟ ଅଯୋଗ୍ୟତା ନୋଟିସ ଜାରି କରି ନିର୍ବାଚନ କମିଶନଙ୍କୁ ଜଣାଇପାରେ ଯେ ତାଙ୍କ ଆସନ ଏବେ ଖାଲି ପଡ଼ିଛି।

  • ଯେହେତୁ ତାଙ୍କୁ ମୁକ୍ତ କରାଯିବା ପରେ ୬ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା ଜାରି ରହିବ, ଅର୍ଥାତ୍‌ ତାଙ୍କୁ ସମୁଦାୟ ୮ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ।
  • ପୂର୍ବରୁ ଜନ ପ୍ରତିନିଧି ଆଇନର ଧାରା ୮(୪)ର ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ସାଂସଦ କିମ୍ବା ବିଧାୟକ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୩ ମାସ ମଧ୍ୟରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଅପିଲ୍‌ କିମ୍ବା ସଂଶୋଧନ ଆବେଦନ କରି ପଦରେ ରହିପାରିବେ।
  • ତେବେ, ୨୦୧୩ରେ ସୁପ୍ରିମକୋର୍ଟ ଏହି ବ୍ୟବସ୍ଥାକୁ ରଦ୍ଦ କରିଥିବାରୁ ଏହି ୩ ମାସର ଅବଧି ରାହୁଲ ଗାନ୍ଧୀଙ୍କ ପାଇଁ ଉପଲବ୍ଧ ହୋଇ ନପାରେ।

ଏ ପ୍ରସଙ୍ଗରେ କି’ଏ… କ’ଣ କହିଛନ୍ତି?…

  • ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ଦାବି କରିଛନ୍ତି ଯେ ଜନ ପ୍ରତିନିଧି ଆଇନରେ ଏକ ବ୍ୟବସ୍ଥା ରହିଛି, ଯେଉଁଥିରେ କୁହାଯାଇଛି ଯେ ଯଦି କେହି ଦୁଇ ବର୍ଷ ଜେଲ୍‌ ଦଣ୍ଡ ପାଇବେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ। ଏଥିରେ ଅନେକ ଦିଗ ରହିଛି ଏବଂ ଏହା ବାଚସ୍ପତିଙ୍କ ଅଧୀନରେ ରହିଛି।
  • ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟଙ୍କ ଲିଲି ଥୋମାସଙ୍କ ରାୟ ୩ ମାସର ଗ୍ରେସ୍‌ ପିରିୟଡ୍‌କୁ ରଦ୍ଦ କରିଥିବାରୁ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ ହେବା ମୁହୂର୍ତ୍ତରୁ ଅଯୋଗ୍ୟ ଘୋଷଣା କରାଯାଇପାରେ।
  • ତେବେ, ଏ ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ଅଯୋଗ୍ୟ ଘୋଷଣାର ଖଣ୍ଡା ଝୁଲୁଥିବା ବେଳେ ଆଶା ଓ ଆଶ୍ୱସ୍ତିର ଏକମାତ୍ର କିରଣ ହେବ ଆବେଦନ କରିବା ଏବଂ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା, କାରଣ ଜନ ପ୍ରତିନିଧି ଆଇନ ଅନୁଯାୟୀ କେବଳ ଦଣ୍ଡାଦେଶ ଉପରେ ସରଳ ରହିତାଦେଶ ଯଥେଷ୍ଟ ହେବ ନାହିଁ।
ସମ୍ବନ୍ଧିତ ଖବର