ଧାରା ୧୪୩ କ’ଣ କହୁଛି?
ନୂଆଦିଲ୍ଲୀ: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିପାରିବେ କି ନାହିଁ ସେ ନେଇ ଧାରା ୧୪୩(୧) ଅନୁଯାୟୀ ସୁପ୍ରିମ୍କୋର୍ଟଙ୍କ ପରାମର୍ଶ ଲୋଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏପ୍ରିଲ ୮ ତାରିଖରେ ସୁପ୍ରିମ୍କୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପଠାଇଥିବା ବିଲ୍ଗୁଡ଼ିକୁ ତିନି ମାସ ମଧ୍ୟରେ ସମାଧାନ କରିବାକୁ ପଡ଼ିବ।
ଧାରା ୧୪୩(୧) କ’ଣ?
ସମ୍ବିଧାନର ଧାରା ୧୪୩(୧) ଅନୁଯାୟୀ ରାଷ୍ଟ୍ରପତି ଯେକୌଣସି ଆଇନଗତ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟଙ୍କ ସହ ପରାମର୍ଶ କରିପାରିବେ। ଏହି ମତାମତ ବାଧ୍ୟକାରୀ ନୁହେଁ, କିନ୍ତୁ ଏହାର ଅନେକ ସାମ୍ବିଧାନିକ ମହତ୍ତ୍ୱ ରହିଛି। ମେ ୧୩ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଠାଯାଇଥିବା ରେଫରେନ୍ସରେ ସମୁଦାୟ ୧୪ଟି ଆଇନଗତ ପ୍ରଶ୍ନ ରହିଛି।
ସୁପ୍ରିମ୍କୋର୍ଟ ପୂର୍ବରୁ ମତାମତ ଦେବାକୁ ମନା କରିଥିଲେ କି?
ରାଷ୍ଟ୍ରପତି ମାଗିଥିବା ମତାମତ ଉପରେ ସୁପ୍ରିମ୍କୋର୍ଟ ଦୁଇଥର ଜବାବ ଦେବାକୁ ମନା କରିଦେଇଥିଲେ। ୧୯୯୩ ମସିହାରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦରେ ମନ୍ଦିରର ପୂର୍ବ ସ୍ଥିତି ଉପରେ ମତାମତ ଲୋଡ଼ାଯିବାରୁ କୋର୍ଟ ଏହାକୁ ଧାର୍ମିକ ଓ ସାମ୍ବିଧାନିକ ମୂଲ୍ୟବୋଧର ବିପରୀତ ବୋଲି କହି ଖାରଜ କରିଦେଇଥିଲେ। ଏହା ପୂର୍ବରୁ ୧୯୮୨ ମସିହାରେ ପାକିସ୍ତାନରୁ ଆସିଥିବା ପ୍ରବାସୀଙ୍କ ଥଇଥାନ ଆଇନ ଉପରେ ମତାମତ ଲୋଡ଼ାଯାଇଥିଲା, କିନ୍ତୁ ପରେ ସେହି ଆଇନ ପାରିତ ହୋଇ କୋର୍ଟରେ ପିଟିସନ୍ ଦାଖଲ କରାଯାଇଥିଲା, ଯାହା ମତାମତକୁ ଅପ୍ରାସଙ୍ଗିକ କରିଦେଇଥିଲା।
ରାଷ୍ଟ୍ରପତି ଏହି ନିଷ୍ପତ୍ତି ବଦଳାଇବାକୁ ଚାହୁଛନ୍ତି କି?
ସୁପ୍ରିମ୍କୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କିମ୍ବା ଉଚ୍ଛେଦ ପାଇଁ ଧାରା ୧୪୩ ବ୍ୟବହାର କରାଯାଇପାରିବ ନାହିଁ। ୧୯୯୧ ମସିହାରେ କାବେରୀ ଜଳ ବିବାଦକୁ ନେଇ ଅଦାଲତ କହିଥିଲେ ଯେ, ରାୟ ଦେବା ପରେ ସେହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ମତାମତ ନେବା ନ୍ୟାୟପାଳିକାର ମର୍ଯ୍ୟାଦାବିରୋଧୀ। ସରକାର ଚାହିଲେ ରିଭ୍ୟୁ ପିଟିସନ ବା କ୍ୟୁରେଟିଭ୍ ପିଟିସନ ଦାଖଲ କରିପାରିବେ, ଯାହା ନ୍ୟାୟିକ ପ୍ରକ୍ରିୟାର ଏକ ଅଂଶ।
ରାଷ୍ଟ୍ରପତି କ’ଣ ପଚାରିଥିଲେ?
ରାଷ୍ଟ୍ରପତିଙ୍କ ଅଧିକାଂଶ ପ୍ରଶ୍ନ ଏପ୍ରିଲ ୮ର ରାୟ ସହ ଜଡିତ, କିନ୍ତୁ ଶେଷ କିଛି ପ୍ରଶ୍ନ ସୁପ୍ରିମ୍କୋର୍ଟଙ୍କ ନିଜସ୍ୱ କ୍ଷମତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ପ୍ରଶ୍ନ ୧୨ରେ ଅଛି ଯେ କୌଣସି ମାମଲା ସମ୍ବିଧାନର ବ୍ୟାଖ୍ୟା ସହ ଜଡ଼ିତ କି ନାହିଁ ତାହା ସୁପ୍ରିମ୍କୋର୍ଟ ପ୍ରଥମେ ନିଷ୍ପତ୍ତି ନିଅନ୍ତୁ, ଯାହାଦ୍ୱାରା ଏହାକୁ ଏକ ବୃହତ୍ ଖଣ୍ଡପୀଠକୁ ପଠାଯାଇପାରିବ। ସେହିଭଳି ପ୍ରଶ୍ନ ୧୩ରେ ଅଛି ଯେ ଧାରା ୧୪୨ (ନିରପେକ୍ଷ ନ୍ୟାୟ କରିବାର କ୍ଷମତା)କୁ ସୁପ୍ରିମ୍କୋର୍ଟ କେତେ ମାତ୍ରାରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଶ୍ନ ନଂ-୧୪ରେ ଅଛି ଯେ ମୂଳ କେନ୍ଦ୍ର-ରାଜ୍ୟ ବିବାଦର ଶୁଣାଣି କରିବାର ଅଧିକାର କାହାର ଅଛି। କେବଳ ସୁପ୍ରିମ୍କୋର୍ଟ ନା ଅନ୍ୟ ଅଦାଲତର ବି?
ନ୍ୟାୟପାଳିକା ବନାମ କାର୍ଯ୍ୟପାଳିକା ଲଢ଼େଇ
ବିରୋଧୀଶାସିତ ରାଜ୍ୟଗୁଡ଼ିକର ବିଲ୍ ରାଜ୍ୟପାଳ କେଉଁ ପରିସ୍ଥିତିରେ ରଖୁଛନ୍ତି ବା ପ୍ରତ୍ୟାଖ୍ୟାନ କରୁଛନ୍ତି, ସେଥିରୁ ଏହି ପୂରା ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ୧୦ଟି ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ। ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କରେ ସନ୍ତୁଳନର ପ୍ରସଙ୍ଗ ଏବଂ ଏକ ସମୟସୀମା ଜରୁରୀ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ଏ ବାବଦରେ ରାଷ୍ଟ୍ରପତିଙ୍କ ପାଇଁ ସମୟସୀମା ନିର୍ଦ୍ଧାରଣ କରି ନିର୍ଦ୍ଦେଶ ଯୋଗୁଁ ସରକାର ଏହାକୁ ସାମ୍ବିଧାନିକ ଅସନ୍ତୁଳନ ବୋଲି କହିଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସୁପ୍ରିମ୍କୋର୍ଟଙ୍କୁ କଡ଼ା ସମାଲୋଚନା କରିଥିଲେ।