ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୫ ଲକ୍ଷ ଡୋଜ୍‌ କୋଭିସିଲ୍‌ଡ୍‌ ଟିକା ନେବାକୁ କାନାଡାର ଅନୁମୋଦନ

ଅଟାଓ୍ଵା: ଶୁକ୍ରବାର ଦିନ କାନାଡା ଆଷ୍ଟ୍ରାଜେନିକାର କୋଭିଡ୍‌-୧୯ ଟିକାକୁ ଅନୁମୋଦନ କରିବା ସହ ଆଗାମୀ ସପ୍ତାହରେ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଉତ୍ପାଦିତ ଏହି ଟିକାର ୫ ଲକ୍ଷ ଡୋଜ୍‌ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛି।

କାନାଡା ସ୍ୱାସ୍ଥ୍ୟ ବିଭାଗ ଅନୁମୋଦନ ପାଇବାରେ ‘କୋଭିସିଲ୍‌ଡ୍‌’ ହେଉଛି ତୃତୀୟ କରୋନାଭାଇରସ୍‌ ନିରୋଧୀ ଟିକା। ଡିସେମ୍ବର ମାସରେ କାନାଡା ଫାଇଜର୍‌-ବାୟୋଏନ୍‌ଟେକ୍‌ ଏବଂ ମଡର୍ଣ୍ଣା ପ୍ରସ୍ତୁତ କରୋନାଭାଇରସ୍‌ ନିରୋଧୀ ଟିକାକୁ ସମ୍ମତି ପ୍ରଦାନ କରିଥିଲା।

Image Courtesy of Tri-City News

ସାମ୍ବାଦିକମାନଙ୍କୁ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁ କହିଛନ୍ତି, ଫାଇଜର୍‌, ମଡର୍ଣ୍ଣା ଏବଂ ଆଷ୍ଟ୍ରାଜେନିକା ସମେତ ମାର୍ଚ ମାସ ଶେଷ ପୂର୍ବରୁ କାନାଡ଼ାକୁ ୬.୫ ନିୟୁତ ଟିକା ଆସିବ। ଏହାପରେ ଏପ୍ରିଲ୍‌ ଏବଂ ଜୁନ୍‌ ମାସ ମଧ୍ୟରେ ଆହୁରି ଅନେକ ନିୟୁତ ଟିକା ଆସିବ।

୨୦ ନିୟୁତ ଡୋଜ୍‌ ଆଷ୍ଟ୍ରାଜେନିକା ଟିକା ଲାଗି ଆଷ୍ଟ୍ରାଜେନିକାକୁ ବରାଦ ଦେଇଥିବା କାନାଡା ଏ ବର୍ଷ ପ୍ରଥମାର୍ଦ୍ଧରେ ‘କୋଭାକ୍ସ’ ଜରିଆରେ ୧.୯ ନିୟୁତ ଟିକା ପାଇବ। ‘କୋଭାକ୍ସ’ ହେଉଛି ଏକ ଆନ୍ତର୍ଜାତିକ ବ୍ୟବସ୍ଥା। ବିଶ୍ୱର ସବୁ ରାଷ୍ଟ୍ରକୁ ସମାନଭାବେ ଟିକା ମିଳିବା ଦିଗରେ ଏହା କାର୍ଯ୍ୟ କରୁଛି।

ଶୁକ୍ରବାର ଦିନ କାନାଡା କହିଛି, ‘କାନାଡାର ଭେରିଟି ଫାର୍ମାସ୍ୟୁଟିକାଲ୍‌ସ୍‌’ ଏବଂ ‘ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ସହ ହୋଇଥିବା ରାଜିନାମା ମାଧ୍ୟମରେ କାନାଡା ଅତିରିକ୍ତ ୨ ନିୟୁତ ଡୋଜ୍‌ କରୋନାଭାଇରସ୍‌ ଟିକା ପାଇଁ ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର