ନୂଆଦିଲ୍ଲୀ: ଭାରତ-କାନାଡା କୂଟନୈତିକ ବିବାଦକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିଥିବାରୁ କାନାଡା ଆଜି ‘ଅଷ୍ଟ୍ରେଲିଆ ଟୁଡେ’ ସୋସିଆଲ ମିଡିଆ ଚ୍ୟାନେଲ୍ ଉପରେ କଟକଣା ଲଗାଇଛି। ଏହାର କଡ଼ା ଜବାବରେ ଭାରତ ଗୁରୁବାର କହିଛି ଯେ କାନାଡା ଏହି ସଂସ୍ଥାକୁ ନିଷିଦ୍ଧ କରିବା ପଦକ୍ଷେପ ଆଶ୍ଚର୍ଯ୍ୟଜନକ ଏବଂ ଏହା ବାକ୍ ସ୍ୱାଧୀନତା ପ୍ରତି କାନାଡାର ଅସମ୍ମାନକୁ ପ୍ରତିଫଳିତ କରୁଛି। ‘ଅଷ୍ଟ୍ରେଲିଆ ଟୁଡେ’ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ଓଙ୍ଗ୍ଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିବାର କିଛି ଘଣ୍ଟା ମଧ୍ୟରେ କାନାଡା ସରକାରର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛି। କାନାଡାର ଏଭଳି କାର୍ଯ୍ୟ ତା’ର ଭାରତ ବିରୋଧୀ ମାନସିକତାକୁ ଦର୍ଶାଉଛି ଏବଂ ଏହା ଆମକୁ ଅଜବ ଲାଗୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୂଚନାଯୋଗ୍ୟ, ‘ଅଷ୍ଟ୍ରେଲିଆ ଟୁଡେ’ ଅଷ୍ଟ୍ରେଲିଆ ଏବଂ ବିଶ୍ୱର ଅନ୍ୟ ସ୍ଥାନରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଜଡିତ ଖବର ଏବଂ ବିଶ୍ଳେଷଣାତ୍ମକ ଖବର ଉପରେ ଫୋକସ୍ କରିଥାଏ। କାନାଡାର ବ୍ରାମ୍ପଟନରେ ଥିବା ଏକ ହିନ୍ଦୁ ମନ୍ଦିରରେ ଖଲିସ୍ତାନ ସମର୍ଥକମାନେ ଶ୍ରଦ୍ଧାଳୁଙ୍କ ଉପରେ ଆକ୍ରମଣ ଗଭୀର ଉଦ୍ବେଗଜନକ ବୋଲି ଜୟଶଙ୍କର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାକୁ ଏଭଳି ଭୀରୁତାପୂର୍ଣ୍ଣ ପ୍ରୟାସ କରାଯାଇଛି ବୋଲି କହିଥିଲେ।
ମୌଳିକ ନିରାପତ୍ତା ଅଭାବ
କାନାଡାରେ ଦୂତାବାସ ଶିବିର ବନ୍ଦ କଲା ଭାରତ
ଟରଣ୍ଟୋ: କାନାଡାର ସୁରକ୍ଷା ଏଜେନ୍ସିଗୁଡ଼ିକ ଭାରତୀୟ ଦୂତାବାସର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସର୍ବନିମ୍ନ ସୁରକ୍ଷା ମଧ୍ୟ ଉପଲବ୍ଧ କରୁନାହିଁ। ଏଭଳି ସ୍ଥିତିରେ କାନାଡାରେ ଥିବା ଭାରତୀୟ ହାଇକମିସନ କେତେକ ଦୂତାବାସ ଶିବିରକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ନଭେମ୍ବର ୨ ଓ ୩ ତାରିଖରେ ବ୍ରାମ୍ପଟନ୍ ଓ ସରେରେ ଥିବା ଦୁଇଟି ଦୂତାବାସ ଶିବିର ଉପରେ ଖଲିସ୍ତାନୀ ଚରମପନ୍ଥୀଙ୍କ ଆକ୍ରମଣ ପରେ ଏଭଳି ଘଟଣା ଘଟିଛି। ଭାରତୀୟ ବାଣିଜ୍ୟିକ ଦୂତାବାସ ଏକ ପୋଷ୍ଟରେ କହିଛି ଯେ ସୁରକ୍ଷା ପ୍ରଦାନ କରିବାରେ ନିରାପତ୍ତା ଏଜେନ୍ସିମାନେ ଅସମର୍ଥତା ପ୍ରକାଶ କରୁଥିବାରୁ ଦୂତାବାସ କେତେକ ନିର୍ଦ୍ଧାରିତ ଶିବିରକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।