ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ନେଟୱାର୍କ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛି। ରବିବାର ବିଳମ୍ବିତ ରାତିରେ କାନାଡାର ତିନୋଟି ଭିନ୍ନ ସ୍ଥାନରେ ହୋଇଥିବା ଗୁଳିକାଣ୍ଡ ପାଇଁ ବିଷ୍ନୋଇ ଗ୍ୟାଙ୍ଗ ଦାୟୀ ବୋଲି ସୋସିଆଲ ମିଡିଆରେ ଦାବି ହୋଇଛି। ଗ୍ୟାଙ୍ଗର ଏକ ପୋଷ୍ଟରେ କୁହାଯାଇଛି ଯେ "ଅନୈତିକ ବ୍ୟବସାୟରେ ଜଡିତ ଲୋକଙ୍କଠାରୁ ଚାନ୍ଦା ଆଦାୟ କରାଯାଏ," କଠିନ ପରିଶ୍ରମ କରୁଥିବା ଲୋକଙ୍କଠାରୁ ନୁହେଁ।

Advertisment

ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ, ପର୍ତ୍ତୁଗାଲରେ ରହୁଥିବା ଫତେହ ପର୍ତ୍ତୁଗାଲ ଏହି ଘଟଣାଗୁଡ଼ିକର ଦାୟିତ୍ୱ ଗ୍ରହଣ କରିଛି। ସେ ସୋସିଆଲ ମିଡିଆରେ ଗୁଳିଚାଳନା ସମୟର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଜଣେ ଗୁଳିଚାଳକ ଏକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରୁ ଗୁଳି ଚଳାଇଥିବାର ଦେଖାଯାଉଛି। ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

କାନାଡିୟ ପୁଲିସ ବର୍ତ୍ତମାନ ଅପରାଧ ଦୃଶ୍ୟଗୁଡ଼ିକୁ ସିଲ୍ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଗୁଳିକାଣ୍ଡରେ କୌଣସି ମୃତାହତ ହୋଇନାହିଁ, କିନ୍ତୁ ପୁଲିସ ଏହାକୁ ସଂଗଠିତ ଅପରାଧ ସହିତ ଜଡିତ ଏକ ବୃହତ୍ ଷଡ଼ଯନ୍ତ୍ର ଭାବରେ ଦେଖୁଛି।

ଏହା ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ କାନାଡା ସରକାର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲା। ସେବେଠାରୁ, ଏହି ଗ୍ୟାଙ୍ଗ ସୋସିଆଲ ମିଡିଆରେ ସକ୍ରିୟ ଅଛି।