ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି କାନାଡାକୁ ସମାଲୋଚନା କରିଛନ୍ତି। ବ୍ରାମ୍ପଟନ୍ରେ ଏକ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ଚରମପନ୍ଥୀଙ୍କ ଦ୍ବାରା ଆକ୍ରମଣ ହେବା ପ୍ରସଙ୍ଗରେ ଟିପ୍ପଣୀ ରଖି ଜୟଶଙ୍କର କହିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିରରେ ଯାହା ହେଲା ତାହା ଅତ୍ୟନ୍ତ ଚିନ୍ତାଜନକ। ଜୟଶଙ୍କର କହିଛନ୍ତି, ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ତଦନ୍ତ ପରିସରଭୁକ୍ତ କରିବା ମଧ୍ୟ ଗ୍ରହଣୀୟ ନୁହେଁ। କୌଣସି ନିର୍ଦ୍ଦିଷ୍ଟ ସୂଚନା ନଦେଇ କାନାଡା କେବଳ ଅଭିଯୋଗ କରୁଛି ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷେ ବ୍ରାମ୍ପଟନ୍ରେ ହିନ୍ଦୁ ସଭା ମନ୍ଦିର ଉପରେ ଖାଲିସ୍ତାନୀ ସମର୍ଥିତ ଗୋଷ୍ଠୀ ଦ୍ବାରା ଆକ୍ରମଣ ହେବାପରେ ଆଜି କାନାଡାର ହଜାର ହଜାର ସଂଖ୍ୟାରେ ହିନ୍ଦୁ ବ୍ରାମ୍ପଟନ୍ରେ ଏକ ପଦଯାତ୍ରା ଏବଂ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରେ ସାମିଲ ହୋଇଥିବା ହିନ୍ଦୁମାନେ କାନାଡା ଓ ଭାରତର ପତାକା ଧରିଛନ୍ତି ଏବଂ ‘ଜୟ ଶ୍ରୀ ରାମ୍’ ସ୍ଲୋଗାନ୍ ଦେଇଛନ୍ତି। ସେମାନେ ମଧ୍ୟ ଖଲିସ୍ତାନ ବିରୋଧୀ ସ୍ଲୋଗାନ୍ ଦେଇଛନ୍ତି। ହିନ୍ଦୁ ମନ୍ଦିର ଉପରେ ଲଗାତାର ଆକ୍ରମଣକୁ ସେମାନେ ବିରୋଧ କରିଛନ୍ତି। ହିନ୍ଦୁମାନଙ୍କର ଅଧିକାରକୁ ସୁରକ୍ଷା ଦେବାପାଇଁ ସେମାନେ ଦାବି କରିଛନ୍ତି।
ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପ୍ରତିବାଦରେ ପଦଯାତ୍ରା ଓ ଆନ୍ଦୋଳନ
ଉଲ୍ଲେଖଯୋଗ୍ୟ, ରବିବାର ବ୍ରାମ୍ପଟନ୍ରେ ଏକ ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଖଲିସ୍ତାନୀ ପତାକା ଧରିଥିବା ଲୋକମାନେ ମନ୍ଦିରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଭାରତ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏଭଳି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କଡ଼ା ନିନ୍ଦା କରିଥିଲେ। ନ୍ୟାୟ ସୁନିଶ୍ଚିତ କରିବାପାଇଁ ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ମୋଦୀ କାନାଡ଼ା ସରକାରଙ୍କୁ କହିଥିଲେ। ଆଜି ବିଭିନ୍ନ ହିନ୍ଦୁ ସଂଗଠନ ଖଲିସ୍ତାନୀଙ୍କ ବିରୋଧରେ ଏକଜୁଟ୍ ହୋଇଛନ୍ତି।