ନୂଆଦିଲ୍ଲୀ: ଭାରତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନଙ୍କୁ କାନାଡାରୁ ପ୍ରତ୍ୟାର୍ପଣ କରିବାକୁ ଲଗାତାର ଦାବି କରିଆସୁଛି, କିନ୍ତୁ କାନାଡା ନାନା ବାହାନାରେ ଏହାକୁ କାର୍ଯ୍ୟକାରୀ କରୁନାହିଁ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ନିକଟରେ ମଧ୍ୟ  ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡିତ  ସଦସ୍ୟମାନଙ୍କୁ ପ୍ରତ୍ୟର୍ପଣ ଅନୁରୋଧ କରାଯାଇଥିଲା, କିନ୍ତୁ କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

Advertisment

ଗ୍ୟାଙ୍ଗ୍‌ ସଦସ୍ୟ ଗୁରଜିତ୍ ସିଂହ, ଗୁରଜିନ୍ଦର ସିଂହ, ଅର୍ଶଦୀପ ସିଂହ ଗିଲ୍, ଲଖବୀର ସିଂହ ଲାଣ୍ଡା ଓ  ଗୁରପ୍ରୀତ ସିଂହକୁ ପ୍ରତ୍ୟର୍ପଣ କରିବା ପାଇଁ ଦୃଢ଼ ଯୁକ୍ତି ରଖାଯାଇଥିଲା। ତେବେ କାନଡା ଏହାକୁ ବାରମ୍ବାର ଟାଳି ଆସିଛି।  ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲାରେ କାନାଡା କୌଣସି ପ୍ରମାଣ ନଦେଇ କେବଳ ଅନ୍ତର୍ଜାତୀୟ ସମୁଦାୟରେ ବିଭ୍ରାନ୍ତି ସୃଷ୍ଟି ପାଇଁ ଭିତ୍ତିହୀନ ବୟାନ ଦେଇଚାଲିଛି। ଯେତେବେଳେ ଭାରତ ଖଲିସ୍ତାନୀ ଆତଙ୍କୀ ଏବଂ ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି ସେତେବେଳେ କାନାଡା ସର୍ବଦା ‘ବାକ୍ ସ୍ୱାଧୀନତା’କୁ ନିଜର ଯୁକ୍ତି ଭାବରେ ଆଣୁଛି ଏବଂ ସହଯୋଗୀ ରାଷ୍ଟ୍ରମାନଙ୍କୁ ଅନ୍ଧାରରେ ରଖି ବିଭ୍ରାନ୍ତି ବଢ଼ାଉଛି।

ଗତ ବର୍ଷ ସେପ୍ଟେମ୍ବର ମାସରେ ନିଜାର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ପୂର୍ବରୁ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ  ପକ୍ଷରୁ  ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ନାମ ଉଲ୍ଲେଖ କରାଯାଇଥିଲା। ଦୁଇଦିନ ତଳେ ଟ୍ରୁଡୋ ବିଷ୍ଣୋଇର ନାମ ନେଇ ଭାରତକୁ ଘେରିବାକୁ ଚେଷ୍ଟା କରିଥିଲେ। ଟ୍ରୁଡୋ ଅଭିଯୋଗ କରିଥିଲେ ଯେ ଭାରତୀୟ କୂଟନୀତିଜ୍ଞମାନେ କାନାଡାବାସୀଙ୍କ ସଂପର୍କରେ ସୂଚନା ସଂଗ୍ରହ କରୁଛନ୍ତି ଏବଂ ଏହାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଦେଉଛନ୍ତି।  ଭାରତ କାନାଡାର ଦାବିକୁ ପ୍ରତ୍ୟାଖ୍ୟାନ  କରିବା ସହ ଏହାର ପ୍ରତିବାଦ ସ୍ୱରୂପ ହାଇକମିସନର ସଞ୍ଜୟ କୁମାର ବର୍ମାଙ୍କ ସମେତ କାନାଡାରୁ ଏହାର ୬ ଜଣ ଶୀର୍ଷ କୂଟନୀତିଜ୍ଞଙ୍କୁ ଫେରାଇ ଆଣିଛି।