ନୂଆଦିଲ୍ଲୀ: ପ୍ରତ୍ୟେକ ସିଗାରେଟ୍ ଉପରେ ଲିଖିତ ଆକାରରେ ସଚେତନତା ବାର୍ତ୍ତା ପ୍ରଦାନ କରିବାରେ କାନାଡା ହେଉଛି ବିଶ୍ବରେ ପ୍ରଥମ ରାଷ୍ଟ୍ର ବୋଲି ଦ ଗାର୍ଡିଆନ୍ ପ୍ରକାଶ କରିଛି। ଦୀର୍ଘ ଦୁଇ ଦଶଂଧି ଧରି କାନାଡା ଏହି ପଦକ୍ଷେପ ନେଇ ଏକ ଉଦାହାରଣ ସୃଷ୍ଟି କରିଛି। ସିଗାରେଟ୍ ପ୍ୟାକେଟ୍ ଉପରେ ପ୍ରଥମ ଥର ଗ୍ରାଫିକ୍ ଜରିଆରେ ଚେତାବନୀ ଦେଇଥିବାରୁ ଏହି ରାଷ୍ଟ୍ରକୁ ‘ଟ୍ରେଣ୍ଡ୍ସେଟର୍’ ବୋଲି କୁହାଯାଉଛି।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କାନାଡର ଜଣେ ମନ୍ତ୍ରୀ ନିିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ଏପରି କରିବା ଦ୍ବାରା ଯୁବପିିଢ଼ିରୁ ନେଇ ସମସ୍ତ ଧୂମପାୟୀଙ୍କ ନିକଟରେ ଧୂମପାନର କୁପରିଣତିର ବାର୍ତ୍ତା ସହଜରେ ପହଞ୍ଚି ପାରିବ। ପୂର୍ବରୁ ଲୋକେ ପ୍ୟାକେଟ୍ରେ ଲେଖାଥିବା ସଚେତନତା ବାର୍ତ୍ତାକୁ ନପଢ଼ି ସିଗାରେଟ୍କୁ ଟାଣିବା ସହ ପ୍ୟାକେଟ୍କୁ କଡ଼ରେ ଫୋପାଡ଼ି ଦେଉଥିଲେ। ଏବେ ଆଉ ସେପରି ହେବ ନାହିଁ। ଏଣିକି ପ୍ରତ୍ୟେକ ସିଗାରେଟ୍ ଉପରେ ସଚେତନା ବାର୍ତ୍ତା ପ୍ରଦାନ କରାଯିବ। ଲୋକ ଚାହିଁଲେ ବି ତାହାକୁ ଅଣଦେଖା କରିପାରିବେ ନାହିଁ।’ ସିଗାରେଟ୍ ଉପରେ ବାର୍ତ୍ତା ରହିବ ‘ପ୍ରତ୍ୟେକ ପପ୍ରେ ବିଷ’। ସିଗାରେଟ୍ ପ୍ୟାକେଟ୍ ଉପରେ କିଛି ଭିନ୍ନ ସଚେତନା ବାର୍ତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସିଗାରେଟ୍ ଟାଣିବା ଦ୍ବାରା ସ୍ବାସ୍ଥ୍ୟ ଉପରେ କି କି ଖରାପ ପ୍ରଭାବ ସବୁ ପଡ଼ିଥାଏ ସେ ସଂପର୍କର ପ୍ୟାକେଟ୍ରେ ଉଲ୍ଲେଖ ରହିବ। କାନାଡିୟନ୍ କ୍ୟାନ୍ସର ସୋସାଇଟିର ବରିଷ୍ଠ ପଲିସ୍ ଆନାଲିଷ୍ଟ୍ ଏହି ପଦକ୍ଷେପକୁ ନେଇ ଆଶା ପ୍ରକଟ କରି କହିଛନ୍ତି ଯେ ଏହି ସଚେତନତା ବିଶ୍ବସ୍ତରରେ ଲୋକପ୍ରିୟ ହେବ।