ଅଟୱା: କୋଭିଡ୍-୧୯ ଟିକାକରଣକୁ ବିରୋଧ କରି ପାର୍ଲାମେଣ୍ଟ୍ ହିଲ୍ରେ ପ୍ରତିବାଦ ପ୍ରବଳ ହେବାରୁ କାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଏବଂ ତାଙ୍କ ପରିବାର ରାଜଧାନୀ ଛାଡ଼ି କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଥିବା କଥା ଶନିବାର ଦିନ ଗଣମାଧ୍ୟମ ରିପୋର୍ଟ କରିଛି।
‘ଫ୍ରିଡମ୍ କନ୍ଭୟ’ ନାମରେ ଆରମ୍ଭ ହୋଇଥିବା ଉକ୍ତ ପ୍ରତିବାଦରେ ସରକାରଙ୍କ କରୋନଭାଇରସ୍ କଟକଣା ବିରୋଧରେ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୀମାପାରିରୁ ଟ୍ରକ୍ ନେଇ ଆସୁଥିବା ଡ୍ରାଇଭର୍ମାନଙ୍କ ପାଇଁ କୋଭିଡ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଥିବାରୁ ସେମାନେ ବ୍ୟାପକ ପ୍ରତିବାଦ ଚଳାଇଛନ୍ତି।
ବାଧ୍ୟତାମୂଳକ କୋଭିଡ୍-୧୯ ଟିକାକରଣ ଏବଂ ଅନ୍ୟାନ୍ୟ ଜନସ୍ବାସ୍ଥ୍ୟ କଟକଣାର ଅବସାନ ଘଟାଇବାକୁ ଆହ୍ବାନ ଦେଇ ଶନିବାର ଦିନ ରାଜଧାନୀ ନଗରୀରେ ହଜାର ହଜାର ଟ୍ରକ୍ ଚାଳକ ଓ ଅନ୍ୟ ପ୍ରତିବାଦକାରୀମାନେ ଏକତ୍ର ହୋଇଥିବା କଥା ‘କାନଡଆନ୍ ବ୍ରଡ୍କାଷ୍ଟିଙ୍ଗ୍ କର୍ପୋରେସନ୍’ ରିପୋର୍ଟ କରିଛି।
/sambad/media/post_attachments/wp-content/uploads/2022/01/jt-v.jpg)
ଏହାଛଡ଼ା, କେତେକ ପିଲା, ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଭିନ୍ନକ୍ଷମ ମଧ୍ୟ ଉକ୍ତ ପ୍ରତିବାଦରେ ଭାଗ ନେଇଛନ୍ତି। କାନଡୀୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ଦ ମନ୍ତବ୍ୟ ଲେଖାଥିବା ପ୍ଲାକାର୍ଡ ମଧ୍ୟ ଅନେକ ପ୍ରତିବାଦକାରୀଙ୍କ ହାତରେ ଦେଖିବାକୁ ମିଳୁଛି ବୋଲି ‘ଦି ଗ୍ଲୋବ୍ ଆଣ୍ଡ୍ ମେଲ୍’ ଖବରକାଗଜ ରିପୋର୍ଟ କରିଛି।
କେତେକ ପ୍ରତିବାଦକାରୀ ପ୍ରସିଦ୍ଧ ଯୁଦ୍ଧ ସ୍ମାରକୀରେ ନୃତ୍ୟ କରିବା ଘଟଣାକୁ କାନଡାର ଶୀର୍ଷ ସେନା ଜେନେରାଲ୍ ୱେନ୍ ଆଇର୍ ଏବଂ କାନଡୀୟ ପ୍ରତିରକ୍ଷା ମନ୍ତ୍ରୀ ଅନିତା ଆନନ୍ଦ ନିନ୍ଦା କରିଛନ୍ତି।
ଅତ୍ୟଧିକ ଥଣ୍ଡା ପଡ଼ିବାର ସତର୍କ ସୂଚନା ଜାରି ସତ୍ତ୍ବେ ଅସଂଖ୍ୟ ପ୍ରତିବାଦକାରୀ ସଂସଦୀୟ ପରିସରରେ ପ୍ରବଶେ କରିଥିବାରୁ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ପୁଲିସ ସଜାଗ ରହିଛି।