ଚାରିଟି ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଇଞ୍ଜିନିୟରିଂ ଡିଗ୍ରୀ ବାତିଲ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୧ରୁ ୪ଟି ଡିମ୍‌ଡ ବିଶ୍ୱବିଦ୍ୟାଳୟ- ଜେଆରଏନ ରାଜସ୍ଥାନ ବିଦ୍ୟାପୀଠ, ଇନଷ୍ଟିଚ୍ୟୁଟ୍‌ ଅଫ ଆଡଭାନ୍ସଡ ଷ୍ଟଡିିଜ୍‌ ଇନ ଏଜୁକେସନ ରାଜସ୍ଥାନ, ଆହ୍ଲାବାଦ୍‌ ଏଗ୍ରିକଲଚର ଇନଷ୍ଟିଚ୍ୟୁଟ୍‌ ଏବଂ ତାମିଲନାଡ଼ୁର ବିନାୟକ ମିଶନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ପତ୍ର ମାଧ୍ୟମ ପାଠ୍ୟକ୍ରମ ଅନ୍ତର୍ଗତ ହାସଲ କରାଯାଇଥିବା ଶତାଧିକ ଛାତ୍ରଛାତ୍ରୀମାନଙ୍କ ଇଞ୍ଜିନିୟରିଂ ଡିଗ୍ରୀକୁ ଆଜି ସୁପ୍ରିମକୋର୍ଟ ବାତିଲ କରିଦେଇଛନ୍ତି। ଅପରପକ୍ଷେ ସୁପ୍ରିମକୋର୍ଟର ବିଚାରପତି ଏକେ ଗୋଏଲ ଓ ବିଚାରପତି ଉଦୟ ଉମେଶ ଲଳିତଙ୍କ ଖଣ୍ଡପୀଠ ୨୦୦୧ରୁ ୨୦୦୫ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ ପାଇଁ ଏଆଇସିଟିଇ ଦ୍ୱାରା ପରିଚାଳିତ ପରୀକ୍ଷାରେ ବସିବାପାଇଁ ଅନୁମତି ଦେଇଛନ୍ତି। ହେଲେ ୨୦୦୫ ପରଠାରୁ ଯେଉଁ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ସେମାନଙ୍କ ଡିଗ୍ରୀ ଗୁଡ଼ିକ ବାତିଲ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଡିମ୍‌ଡ ୟୁନିଭର୍ସିଟିକୁ ପାଠ୍ୟକ୍ରମ ଚଳାଇବାପାଇଁ ଅଧିକାରୀମାନଙ୍କଠାରୁ ସ୍ୱିକୃତୀ ମିଳିନଥିଲା। ସେହି ଡିଗ୍ରୀ ବଳରେ ମିଳିଥିବା ସୁବିଧା ଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି। ସେହିପର (ଡିମ୍‌ଡ ଟୁ ବି ୟୁନିଭର୍ସିଟିଜ୍‌) ଦ୍ୱାରା ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଯେଉଁ ଅର୍ଥ, ଟ୍ୟୁସନ ଫି ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଛାତ୍ରଛାତ୍ରୀମାନଙ୍କଠାରୁ ନିଆଯାଇଥିଲା ତାହା ଫେରାଇଦେବାପାଇଁ କୋର୍ଟ ରାୟରେ କହିଛନ୍ତି। ରାୟରେ ସୁପ୍ରିମକୋର୍ଟ ବିନା ଏଆଇସିଟିଇ ସ୍ୱିକୃତୀରେ ୨୦୧୮-୧୯ ଶିକ୍ଷାବର୍ଷର ପତ୍ର ମାଧ୍ୟମ ପାଠ୍ୟକ୍ରମ ଯୋଗାଇ ଦେବାରୁ ନିବୃତ୍ତ ରହିବାକୁ କହିଛନ୍ତି। ସ୍ୱିକୃତୀ ଗୁଡ଼ିକ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜିର ରାୟରେ ସୁପ୍ରିମକୋର୍ଟ ଯେଉଁ ଡିମ୍‌ଡ ୟୁନିଭର୍ସିଟି ଗୁଡ଼ିକୁ ପତ୍ରମାଧ୍ୟମ ପାଠ୍ୟକ୍ରମ ପାଇଁ ଅନୁମତି ଦେଇଥିଲେ ସେହି ଅନୁମତି ଦେବାର ଆବଶ୍ୟକତା ନଥିଲା। ସେମାନଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ବ୍ୟତୀତ ରାୟରେ କେନ୍ଦ୍ର ସରକାରଙ୍କୁ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଡିମ୍‌ଡ ୟୁନିଭର୍ସିଟି ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ମାସ ଭିତରେ ତିନି ଜଣିଆ କମିଟି ଗଠନ କରି ୬ ମାସ ମଧ୍ୟରେ କମିଟିକୁ ଓଭରସାଇଟ୍‌ ଏବଂ ରେଗୁଲେଟୋରି ମେକାନିଜମ୍‌ ସମ୍ପର୍କିତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବାପାଇଁ କୋର୍ଟ ରାୟରେ କହିଛନ୍ତି। ଉଚ୍ଚସ୍ତରୀୟ କମିଟି ଦ୍ୱାରା କେନ୍ଦ୍ର ସରକାର ରିପୋର୍ଟ ପାଇ ସାରିବାପରେ ଏନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମାସକ ଭିତରେ ଗ୍ରହଣ କରିବେ ଏବଂ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ସତ୍ୟପାଠ ଅଗଷ୍ଟ ୩୧, ୨୦୧୮ ସୁଦ୍ଧା ଦାଖଲ କରିବାପାଇଁ ରାୟରେ କୁହାଯାଇଛି। ଆଜିର ରାୟରେ ସୁପ୍ରିମକୋର୍ଟ ଶିକ୍ଷାନୁଷ୍ଠାନମାନଙ୍କୁ ପତ୍ରମାଧ୍ୟମ ପାଠ୍ୟକ୍ରମ ଅନ୍ତର୍ଗତ ଇଞ୍ଜିନିୟରିଂ ଭଳି ବିଷୟ ପାଠ୍ୟକ୍ରମ ଯୋଗାଇଦେବାରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିବୃତ୍ତ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ତଦନ୍ତକୁ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। ପତ୍ରମାଧ୍ୟମ ବୈଷୟିକ ଶିକ୍ଷାକୁ ଅନୁମୋଦନ କରିଥିବା ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଦ୍ୱାରା ୧୪.୧୨.୨୦୦୯ରେ ପତ୍ରମାଧ୍ୟମ ପାଠ୍ୟକ୍ରମ ଅନ୍ତର୍ଗତ ବୈଷୟିକ ଶିକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କୁହାଯାଇଥିଲା। ଅପରପକ୍ଷେ ଦୁଇବର୍ଷ ତଳେ ପଂଜାବ ଓ ହରିଆଣା ହାଇକୋର୍ଟ ରାୟ ଦେଇ କହିଥିଲେ ନିୟମିତ ଶ୍ରେଣୀକୁ ଯାଇ କମ୍ପ୍ୟୁଟର ସାଇନ୍ସରେ ହାସଲ କରିଥିବା ଡିଗ୍ରୀ ସହ ଶିକ୍ଷା ପ୍ରଣାଳୀରେ ହାସଲ ହୋଇଥିବା ଡିଗ୍ରୀକୁ ତୁଳନା କରାଯାଇପାରିବନାହିଁ। ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ କରାଯାଇଥିବା ଅପିଲ୍‌ ତଥା ପଂଜାବ ଓ ହରିଆଣା ହାଇକୋର୍ଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କିତ ମାମଲାର ଶୁଣାଣି କରାଯାଇ ଆଜି ଏହି ରାୟ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର