ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ଆଜି ବାତିଲ କରିଛି। ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବି ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ ନିମନ୍ତେ ଅନୁଷ୍ଠିତ ଏହି ପରୀକ୍ଷାରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ନିଟ୍ ପରୀକ୍ଷାକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏବେ ୟୁଜିସି ନେଟ୍ ବାତିଲ ହେବା ଚିନ୍ତାର କାରଣ ହୋଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍)ର ଜୁନ୍ ପରୀକ୍ଷା ଗତକାଲି ଓଏମ୍ଆର୍ (ପେନ୍ ଆଣ୍ଡ ପେପର୍) ପ୍ରକ୍ରିୟାରେ ସାରା ଦେଶରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା। ଆଜି ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ ପରୀକ୍ଷା ସମ୍ପର୍କରେ କିଛି ଅନିୟମିତତା ସୂଚନା ପାଇଥିଲା। ଏହା ପରୀକ୍ଷାର ସ୍ବଚ୍ଛତା ପ୍ରତି ବଡ଼ ଆଘାତ ହୋଇଥିବାରୁ ଶିକ୍ଷା ମନ୍ତ୍ରାଳୟ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି।
ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ପରୀକ୍ଷା ପ୍ରକ୍ରିୟାରେ ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ଏବଂ ପବିତ୍ରତା ସୁନିଶ୍ଚିତ କରିବା ପାଇଁ ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆଉ ଏକ ନୂତନ ତାରିଖ ଘୋଷଣା କରାଯିବ ଏବଂ ଏ ବାବଦରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ଆସିଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ବାବଦରେ କିଛି କୁହାଯାଇନାହିଁ। କେବଳ ଏତିକି କୁହାଯାଇଛି ଯେ ଅନିୟମିତତା ସଂପର୍କରେ ସୂଚନା ମିଳିଥିବାରୁ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଛି। ଦେଶର ୩୧୭ଟି ସହରର ୧୨୦୫ଟି ପରୀକ୍ଷା କେନ୍ଦ୍ରରେ ୧୧,୨୧,୨୨୫ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୮୧% ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।