୨୪୯ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି: ଆଡ଼ଭାନୀଙ୍କ ଟିକଟ୍‌ କଟିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ୪ଟି ପର୍ଯ୍ୟାୟରେ ମୋଟ ୨୮୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ଏହି ପ୍ରାର୍ଥୀ ତାଲିକାକୁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ମଂଜୁରି ଦେଇଛି । ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନଙ୍କ ଟିକଟ କାଟି ଦିଆଯାଇଛି। ୯୧ ବର୍ଷୀୟ ଆଡଭାନୀଙ୍କୁ ନ ଲଢ଼ିବା ପାଇଁ ଦଳ ପରାମର୍ଶ ଦେବା ସହ ତାଙ୍କର ଗାନ୍ଧୀନଗର ଆସନରୁ ଏଥର ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରାର୍ଥୀ ହୋଇଛନ୍ତି। ଦଳ ଆଜି ୧୦୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ବିହାରର ପାଟନା ସାହିବ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି। ଏହି ଆସନରୁ ସାଂସଦ ଥିବା ଦଳର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଏଥର ଟିକଟ ଦିଆଯାଇନାହିଁ। ଅନ୍ୟପକ୍ଷରେ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପୁରୀ ଆସନରୁ ପ୍ରାର୍ଥୀ କରାଯାଇଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନୀ ଉଷ୍ମତା ବଢ଼ିଯାଇଛି। ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମେ ପର୍ଯ୍ୟନ୍ତ ଚାଲିବ ଏବଂ ୨୩ ତାରିଖ ଦିନ ଭୋଟ୍‌ ଗଣତି ହେବ। ଗୁରୁବାର ଦିନ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏଥିରେ ୧୮୨ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା। ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନାଗପୁରରୁ ନୀତିନ ଗଡ଼କରୀ ଏବଂ ଲକ୍ଷ୍ନୌରୁ ରାଜନାଥ ସିଂହ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଭି କେ ସିଂହଙ୍କୁ ଗାଜିଆବାଦ, ମହେଶ ଶର୍ମାଙ୍କୁ ନୋଏଡ଼ା ଏବଂ ସ୍ମୃତି ଇରାନୀଙ୍କୁ ଆମେଥିରୁ ପ୍ରାର୍ଥୀ କରାଯାଇଛି।

ବାରଣାସୀରୁ ମୋଦୀ, ଗାନ୍ଧୀନଗରରୁ ଅମିତ ଶାହ
ଶତ୍ରୁଘ୍ନଙ୍କ ଟିକଟ କଟିଲା, ପାଟନା ସାହିବରୁ ରବିଶଙ୍କର ପ୍ରାର୍ଥୀ
ବେଗୁସରାଇରୁ ଲଢ଼ିବେ ଗିରିରାଜ

ଖୁବ୍‌ଶୀଘ୍ର ଆଉ ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାର୍ଥୀ ତାଲିକା ଘୋଷଣା ସହ ଏନ୍‌ଡିଏର ସହଯୋଗୀ ଦଳମାନେ ଏକତା ପ୍ରଦର୍ଶନ କରିଥିବା ବେଳେ ଶିବସେନା ମଧ୍ୟ ତା’ର ସ୍ବର ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛି। ଅନ୍ୟପକ୍ଷରେ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଶତ୍ରୁଘ୍ନ ସିହ୍ନାଙ୍କ ଟିକଟ କଟି ଯାଇଥିବାରୁ ସେ ଖବୁ୍‌ଶୀଘ୍ର କଂଗ୍ରେସ- ଆରଜେଡି ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇ ପାଟନା ଆସନରୁ ହିଁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଆସନ ମଧ୍ୟ ଏଥର ବଦଳି ଯାଇଛି। ଗିରିରାଜଙ୍କୁ ତାଙ୍କର ପୁରୁଣା ଆସନ ନୱାଦା ବଦଳରେ ବେଗୁସରାଇରୁ ପ୍ରାର୍ଥୀ କରାଯାଇଛି । ବେଗୁସରାଇରୁ ଜେଏନ୍‌ୟୁ ଛାତ୍ରନେତା କହ୍ନେୟା କୁମାର ପ୍ରାର୍ଥୀ ହେଉଥିବାରୁ ସେଠାରେ ତୀବ୍ର ମୁକାବିଲା ହେବ ବୋଲି ଜଣାପଡ଼ିଛି। ବିହାରରେ ବିଜେପି ୧୭, ଜେଡିୟୁ ୧୭ ଏବଂ ଏଲ୍‌ଜେପି ୬ ଆସନରେ ନିର୍ବାଚନ ଲଢ଼ିବେ। ଶତ୍ରୁଘ୍ନ ସିହ୍ନା ଏଥର କଂଗ୍ରେସରୁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ବରିଷ୍ଠ ବିଜେପି ନେତା ଶାହନୱାଜ ହୁସେନଙ୍କୁ ଟିକଟ ମିଳିନଥିବା ବେଳେ ସାରଣ ଆସନରୁ ରାଜୀବ ପ୍ରତାପ ରୁଡ୍ଡିଙ୍କୁ ପ୍ରାର୍ଥୀ କରାଯାଇଛି।

ସମ୍ବନ୍ଧିତ ଖବର