ନୂଆଦିଲ୍ଲୀ: ଭାରତରେ କର୍କଟ ହାର ବୃଦ୍ଧି ପାଉଛି। ବିଶେଷ କରି ମୁଖଗହ୍ବର କର୍କଟ ରୋଗ ଚିନ୍ତାର କାରଣ ହୋଇଛି। ଭାରତର ଶୀର୍ଷ ଗବେଷଣା ସଂସ୍ଥା ଆଇସିଏମ୍ଆର-ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ ଇନ୍ଫର୍ମେଟିକ୍ସ ଆଣ୍ଡ ରିସର୍ଚ୍ଚର ଏକ ଅଧ୍ୟୟନ ଅନୁଯାୟୀ ପୁରୁଷଙ୍କଠାରେ ଓଠ ଓ ମୁଖ କର୍କଟ ସବୁଠାରୁ ଅଧିକ ଚିହ୍ନଟ ହେଉଥିବା ବେଳେ ସ୍ତନ କର୍କଟ ମହିଳାମାନଙ୍କଠାରେ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଇକ୍ୟାନ୍ସର ପତ୍ରିକାରେ ଗବେଷକମାନେ ବ୍ରିକ୍ସ ଦେଶ (ବ୍ରାଜିଲ, ରୁଷ୍, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା)ରେ କର୍କଟ ମାମଲା, ମୃତ୍ୟୁ ଓ ଜୀବନର ଗୁଣବତ୍ତା ଉପରେ ପ୍ରଭାବ ବିଷୟରେ ଏକ ତୁଳନାତ୍ମକ ଅଧ୍ୟୟନ ପ୍ରକାଶ କରିଥିଲେ। ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ କର୍କଟ ରୋଗ କେତେ ସାଧାରଣ, ଏଥିରେ କେତେ ଲୋକ ମୃତ୍ୟୁବରଣ କରନ୍ତି ଏବଂ ଏହା ଏହି ଦେଶମାନଙ୍କରେ ଲୋକଙ୍କ ଦୈନନ୍ଦିନ ଜୀବନକୁ କେତେ ପ୍ରଭାବିତ କରିଥାଏ, ତାହା ଏଥିରେ ପ୍ରକାଶ ପାଇଛି। ଗବେଷଣା ଅନୁଯାୟୀ, ରୁଷ୍ରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ନୂତନ କର୍କଟ ମାମଲା ସର୍ବାଧିକ। ସେ ଦେଶରେ ପୁରୁଷମାନଙ୍କ ପାଇଁ ସବୁଠାରୁ ସାଧାରଣ ପ୍ରକାରର କର୍କଟ ହେଉଛି ପ୍ରୋଷ୍ଟେଟ୍, ଫୁସଫୁସ ଓ କୋଲୋରେକ୍ଟାଲ୍ କର୍କଟ। ତେବେ ଭାରତରେ ପୁରୁଷଙ୍କ ମଧ୍ୟରେ ଓଠ ଓ ମୁଖଗହ୍ବର କର୍କଟ ରୋଗ ଅଧିକ ଦେଖିବାକୁ ମିଳୁଛି। ଅଧିକାଂଶ ବ୍ରିକ୍ସ ରାଷ୍ଟ୍ରରେ ମହିଳାଙ୍କ ପାଇଁ ସ୍ତନ କର୍କଟ ଏକ ପ୍ରମୁଖ ସମସ୍ୟା। ତେବେ ଚୀନରେ ମହିଳାଙ୍କଠାରେ ଫୁସଫୁସ୍ କର୍କଟ ଅଧିକ ଦେଖିବାକୁ ମିଳିଥିଲା।
ଦକ୍ଷିଣ ଆଫ୍ରିକାରେ ଉଭୟ ପୁରୁଷ ଓ ମହିଳାଙ୍କ କର୍କଟ ଜନିତ ମୃତ୍ୟୁହାର ସର୍ବାଧିକ। ପୁରୁଷମାନଙ୍କ ମଧ୍ୟରେ ରୁଷ୍ରେ କର୍କଟଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ଥିବା ବେଳେ ଦକ୍ଷିଣ ଆଫ୍ରିକାରେ ଅଧିକ ମହିଳା କର୍କଟରୋଗରେ ମୃତ୍ୟୁବରଣ କରୁଛନ୍ତି। କର୍କଟଜନିତ ମୃତ୍ୟୁ ପ୍ରସଙ୍ଗରେ ଭାରତ ବ୍ୟତୀତ ଅନ୍ୟ ସମସ୍ତ ବ୍ରିକ୍ସ ଦେଶରେ ଫୁସ୍ଫୁସ୍ କର୍କଟ ମୁଖ୍ୟ କାରଣ ଥିଲା। ଭାରତରେ ସ୍ତନ କର୍କଟ ସର୍ବାଧିକ ମୃତ୍ୟୁ ପାଇଁ ଦାୟୀ। ଗବେଷକଙ୍କ କହିବା ଅନୁସାରେ, ଆଗାମୀ ବର୍ଷଗୁଡ଼ିକରେ ଦକ୍ଷିଣ ଆଫ୍ରିକା ଓ ଭାରତରେ ନୂତନ କର୍କଟ ମାମଲା ଓ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବ। ଅର୍ଥନୀତି ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ିବ। କ୍ୟାନ୍ସର ଏପିଡେମିଓଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ୱ କର୍କଟ ମୃତ୍ୟୁର ୪୨ ପ୍ରତିଶତ ବ୍ରିକ୍ସ ରାଷ୍ଟ୍ରରେ ହୋଇଥାଏ।
ଚୀନ୍ରେ ସର୍ବାଧିକ ୨୮ ବିଲିୟନ ଡଲାର ଉତ୍ପାଦନ କ୍ଷତି ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାରେ କର୍କଟ ଜନିତ ମୃତ୍ୟୁ ପିଛା ସର୍ବାଧିକ ୧,୦୧,୦୦୦ ଡଲାର ବ୍ୟୟ ହୋଇଛି। ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ ଭାରତ ଓ ଦକ୍ଷିଣ ଆଫ୍ରିକାରେ ୨୦୨୨ରୁ ୨୦୪୫ ମଧ୍ୟରେ କର୍କଟ ମାମଲା ଓ ମୃତ୍ୟୁ ଦ୍ରୁତ ଗତିରେ ବୃଦ୍ଧି ପାଇବ। ୨୦୨୦ ତୁଳନାରେ ୨୦୨୫ରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୨.୮% ବୃଦ୍ଧି ପାଇବ। ୨୦୦୦ରୁ ୨୦୨୨ ମଧ୍ୟରେ ସମସ୍ତ ବ୍ରିକ୍ସ ରାଷ୍ଟ୍ରରେ ଦେଖାଯାଇଥିବା ଏହି ଧାରା ସହିତ କର୍କଟ ରୋଗୀଙ୍କ ସଂଖ୍ୟାରେ ଆକଳିତ ବୃଦ୍ଧିକୁ ଜନ୍ମ ସମୟରେ ଜୀବନ ସମ୍ଭାବ୍ୟତା ସହିତ ଯୋଡ଼ାଯାଇପାରେ।