ପ୍ରାର୍ଥୀଙ୍କୁ ସୋସିଆଲ୍ ମିଡିଆ କଟକଣା

ନୂଆଦିଲ୍ଲୀ: ସମ୍ପ୍ରତି ଲୋକସମ୍ପର୍କ ବୃଦ୍ଧି ପାଇଁ ସୋସିଆଲ୍ ମିଡିଆ ସର୍ବୋତ୍କୃଷ୍ଟ ମାଧ୍ୟମ ସାଜିଥିବା ବେଳେ ଆଗାମୀ ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିସନର କିଛି କଟକଣା ଜାରି କରିଛନ୍ତି। ବିଶେଷ କରି ଫେସବୁକ୍, ଟ୍ବିଟର ଏବଂ ୟୁଟ୍ୟୁବରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ କମିସନର ବାରଣ କରିଛନ୍ତି। ପ୍ରତ୍ୟେକ ପ୍ରାର୍ଥୀ ବିଭିନ୍ନ ସୋସିଆଲ୍ ମିଡିଆରେ ରହିଥିବା ସେମାନଙ୍କ ଆକାଉଣ୍ଟ୍ ସମ୍ପର୍କରେ ସବିଶେଷ ତଥ୍ୟ ନାମାଙ୍କନ ଦାଖଲ ବେଳେ ପ୍ରଦାନ କରିବେ। ଫେସବୁକ୍ କିମ୍ବା ଟ୍ବିଟରରେ କୌଣସି ରାଜନୈତିକ ବିଜ୍ଞାପନ ଛାଡ଼ିବାକୁ ହେଲେ କମିସନରଙ୍କ ଠାରୁ ତାହାର ଅନୁମୋଦନ ଦରକାର। ସେହିପରି କେବଳ ଯାଞ୍ଚ ହୋଇଥିବା ବିଜ୍ଞାପନଗୁଡ଼ିକ ଗୁଗଲ୍, ଫେସବୁକ୍, ଟ୍ବିଟର କିମ୍ବା ୟୁଟ୍ୟୁବରେ ଛଡ଼ାଯାଇପାରିବ। ସୋସିଆଲ୍ ମିଡିଆ ବିଜ୍ଞାପନରେ ପ୍ରାର୍ଥୀ ଖର୍ଚ୍ଚ କରିଥିବା ଅର୍ଥ ସେମାନଙ୍କ ସାମଗ୍ରିକ ନିର୍ବାଚନ ଖର୍ଚ୍ଚରେ ଯୋଡ଼ିବାକୁ ପଡ଼ିବ। ପ୍ରଚାର ପାଇଁ କୌଣସି ଦଳ ବା ପ୍ରାର୍ଥୀ ଦେଶର ସୁରକ୍ଷା କର୍ମୀଙ୍କ ଫଟୋଚିତ୍ରକୁ ବ୍ୟବହାର କରିପାରିବେ ନାହିଁ। ଯେ କୌଣସି ରାଜନୈତିକ ବିଜ୍ଞାପନ ଛଡ଼ାଯିବା ବେଳେ ତାହା ଜଣେ ସୂଚନା ପ୍ରଯୁକ୍ତି ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ହେବା ଜରୁରୀ। ସୋସିଆଲ୍ ମିଡିଆରେ ନିୟମ ଉଲ୍ଲଂଘନ ହେଲେ ସେ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ ପାଇଁ ଜଣେ ଅଧିକାରୀ ନିଯୁକ୍ତ ରହିବେ। କୌଣସି ପ୍ରକାର ମିଥ୍ୟା ଖବର କିମ୍ବା ଅନ୍ୟକୁ ନ୍ୟୂନ କଲା ଭଳି ଭାଷଣ ସୋଲିଆଲ୍ ମିଡିଆରେ ପ୍ରସାରିତ ହେବନାହିଁ। ଫେସବୁକ୍, ଗୁଗଲ୍ ଏବଂ ଟ୍ବିଟର ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ କଥା ଦେଇଛନ୍ତି।

ସମ୍ବନ୍ଧିତ ଖବର