ବୁଲା କୁକୁରଙ୍କ ଦେହରେ ପୋଷ୍ଟର ଲଗାଇ ନିଜ ପାଇଁ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ଲଖନଉ: ନିର୍ବାଚନରେ ଜିତିବା ପାଇଁ ନିରୀହ ଜୀବଙ୍କୁ ବି ବ୍ୟବହାର କରିବାକୁ ପଛାଇଲେ ନାହିଁ ନେତା | ନିଜର ପ୍ରଚାର ପାଇଁ ଓ ନିଜ ସପକ୍ଷରେ ଭୋଟ ଯୋଗାଡ ପାଇଁ କୁକୁରଙ୍କ ଦେହରେ ପୋଷ୍ଟର ଲଗାଇ ଏବେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି ନେତା | ଏଭଳି ଏକ ଦୃଶ୍ୟ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ପଞ୍ଚାୟତ ନିର୍ବାଚନରେ ​​ପ୍ରାର୍ଥୀମାନେ ନିଜର ପ୍ରଚାର ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି | ଆଉ ଉତ୍ତରପ୍ରଦେଶର ରାଏବରେଲି ଓ ବାଲିଆ ଜିଲ୍ଲାରେ ଦୁଇଜଣ ପ୍ରାର୍ଥୀ ଏବେ ବୁଲା କୁକୁରଙ୍କ ଶରୀରରେ ନିଜ ପୋଷ୍ଟର ବ୍ୟବହାର କରି ପ୍ରଚାର ଅଭିଯାନ ଚଳାଇଛନ୍ତି |

ଜଣେ ପ୍ରାର୍ଥୀ କହିଛନ୍ତି ଯେ ନିର୍ବାଚନ ଆଦର୍ଶ ଆଚରଣ ବିଧିରେ ଏପରି କୌଣସି ନିୟମ ନାହିଁ, ଯେଉଁଥିରେ ନିର୍ବାଚନ ପ୍ରଚାର ପାଇଁ କୁକୁରଙ୍କୁ ବ୍ୟବହାର କରାଯାଇପାରିବ ନାହିଁ | ପୋଷ୍ଟର ଲଗାଇବା ଦ୍ୱାରା କୁକୁରଙ୍କର କୌଣସି କ୍ଷତି ହେଉନଥିବାବେଳେ ପ୍ରତିଦିନ ଖାଦ୍ୟ ଖାଇବାକୁ ଦେଉଥିବାରୁ ପୋଷ୍ଟର ଲଗାଇବାର ଅଧିକାର ଅଛି ବୋଲି ପ୍ରାର୍ଥୀ ଜଣକ ଯୁକ୍ତି ବାଢ଼ିଛନ୍ତି | ତେବେ ଏହି ଘଟଣା ଭାଇରାଲ ହେବା ପରେ ଏହାକୁ ନେଇ ପଶୁପ୍ରେମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି |

ପଶୁପ୍ରେମୀ କହିଛନ୍ତି ଯେ ଯଦି ଏହି ପୋଷ୍ଟର କୌଣସି ମଣିଷ ଶରୀରରେ ଲଗାଯିବ ତେବେ କିଭଳି ହେବ ? ଯେହେତୁ କୁକୁରମାନେ ପ୍ରତିରୋଧ କରିପାରିବେ ନାହିଁ, ତେଣୁ ସେମାନଙ୍କ ସହ ଏଭଳି ବ୍ୟବହାର କରାଯାଉଛି | ଯେଉଁ ପ୍ରାର୍ଥୀ ଏଭଳି ବାଟ ଆପଣାଇଛନ୍ତି ପୁଲିସ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଶୁପ୍ରେମୀମାନେ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର