ଅନଲାଇନ୍‌ ପାଣ୍ଠି ସଂଗ୍ରହ କରୁଛନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର ଖର୍ଚ୍ଚ ବହନ କରିବାପାଇଁ ଅଧିକାଂଶ ପ୍ରାର୍ଥୀ ଅନଲାଇନ୍‌ ପାଣ୍ଠି ସଂଗ୍ରହ କରୁଛନ୍ତି। ଏହି ପ୍ରାର୍ଥୀମାନେ ମଧ୍ୟ ନିର୍ବା‌ଚନୀ ପାଣ୍ଠିରେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କିଛି ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି କହ୍ନେୟା‌ କୁମାର, ନାନା ପାଟୋଲ୍‌, କଂଗ୍ରେସର ନାଗପୁର ପ୍ରାର୍ଥୀ ରାଘବ ଚଡ୍ଡା ଏବଂ ସିପିଏମ୍‌ ପ୍ରାର୍ଥୀ ମହମ୍ମଦ ସଲିମ୍‌। ୟୁରୋପ୍‌ରେ ସାଧାରଣତଃ ଅନଲାଇନ୍‌ ପାଣ୍ଠି ସଂଗ୍ରହ ହୋଇଥାଏ କିନ୍ତୁ ଭାରତରେ ପ୍ରଥମ ଥର ପାଇଁ ୨୦୧୭ ମଣିପୁର ବିଧାନସଭା ନିର୍ବାଚନ ସମୟରେ ଅନଲାଇନ୍‌ ପାଣ୍ଠି ସଂଗ୍ରହ କରାଯାଇଥିଲା। ଇରୋମ୍‌ ଶର୍ମିଲା ପ୍ରଥମେ ପିଆରଜେଏ ପାଇଁ ୪.୫ ଲକ୍ଷ ପାଣ୍ଠି ସଂଗ୍ରହ କରିଥିଲେ। ଏହାପରଠାରୁ ଅନେକ ରାଜନେତା ଅନଲାଇନ୍‌ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ବାରୋପ କରିଛନ୍ତି।
ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଏବେ ସିପିଆଇ ପ୍ରାର୍ଥୀ ଭାବେ ବେଗୁସରାଇ ଆସନରୁ ନିର୍ବାଚନ ଲଢ଼ୁଥିବାବେଳେ ସେ ତାଙ୍କ ନିର୍ବାଚନୀ ପ୍ରଚାର ପାଇଁ ଅନ୍‌ଲାଇନ୍‌ ପାଣ୍ଠି ସଂଗ୍ରହ କରିଛନ୍ତି। କହ୍ନେୟା ଏବେ ୫,୫୦୦ରୁ ଅଧିକ ଲୋକଙ୍କଠାରୁ ୭୦ ଲକ୍ଷ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। କହ୍ନେୟାଙ୍କ ପଛକୁ ରହିଛନ୍ତି ଅତିଶୀ ମାର୍ଲେନା। ଆପ୍‌ ଟିକେଟ୍‌ରେ ପୂର୍ବ ଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ୁଥିବା ଏହି ପ୍ରାର୍ଥୀ ଅନଲାଇନ୍‌ରେ ୫୦ ଲକ୍ଷ ଟଙ୍କା ସଂଗ୍ରହ କରିପାରିଛନ୍ତି। ସେହିପରି ବିଏସ୍‌ପି ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ପି ବିଜୟ କୁମାର ୧,୯୦,୦୦୦ ଅନଲାଇନ୍ ପାଣ୍ଠି ସଂଗ୍ରହ କରିଛନ୍ତି। ସିପିଏମ୍‌ର ମହମ୍ମଦ ସଲିମ୍‌ ମଧ୍ୟ ଆଦୌ ପଛରେ ନାହାନ୍ତି। ସେ ଅନଲାଇନ୍‌ କ୍ରାଉଡ୍‌ଫଣ୍ଡିଂ ପ୍ଲାଟଫର୍ମ ଦ୍ବାରା ୧,୪୦,୦୦୦ ସଂଗ୍ରହ କରିଛନ୍ତି। ‌ତେବେ ସବୁଠୁ ଲୋକପ୍ରୀୟ କ୍ରାଉଡଫଣ୍ଡିଂ ୱେବସାଇଟ୍ ହେଉଛି ‘ଆୱାର ଡିମୋକ୍ରାସି ଡଟ୍‌ ଇନ୍‌’। ଏହି ୱେବସାଇଟ୍‌ ସମୁଦା‌ୟ ୪୦ଟି ପ୍ରୋଜେକ୍ଟ ନେଇଛି ତଥା ୪୦ ଜଣ ପ୍ରାର୍ଥୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରୁଛି। ୱେବସାଇଟ୍‌ରେ ୧୭,୦୦୦ରୁ ଅଧିକ ଲୋକଙ୍କଠାରୁ ୧.୪ କୋଟି ସଂଗ୍ରହ କରାଯାଇଛି।

ସମ୍ବନ୍ଧିତ ଖବର