ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି : ନାମାଙ୍କନ ଦାଖଲ ଆରମ୍ଭ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ସ୍ବାକ୍ଷରିତ ଏକ ବିଜ୍ଞପ୍ତିକୁ ଆଜି ନିର୍ବାଚନ କମିସନ୍‌ ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ନିର୍ବାଚନ ‌ପାଇଁ ଆଜିଠୁ ନାମାନଙ୍କ ଦାଖଲ ଆରମ୍ଭ ହୋଇଛି। ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଅୱେସି ଆଜି ହାଇଦ୍ରାବାଦ୍‌ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ନେତା ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୫ ରହିଛି। ମାର୍ଚ୍ଚ ୨୬ ତାରିଖରେ ନାମାଙ୍କନଗୁଡ଼ିକର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାର ପାଇଁ ଅଧିକ ୨ ଦିନ ସମୟ ଦିଆଯିବ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ସମସ୍ତ ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଅରୁଣାଚଳପ୍ରଦେଶର ୨ଟି, ଆସାମର ୫ଟି, ଛତିଶଗଡ଼(୧), ଜମ୍ମୁ କଶ୍ମୀର (୨), ମହାରାଷ୍ଟ୍ର (୭), ମଣିପୁର(୧) , ମେଘାଳୟ(୨), ମିଜୋରାମ (୧), ନାଗାଲାଣ୍ଡ୍‌ (୧), ଓଡ଼ିଶା (୪), ସିକ୍କିମ (୧), ତ୍ରିପୁରା (୧), ଉତ୍ତରପ୍ରଦେଶ (୮), ଉତ୍ତରାଖଣ୍ଡ (୫), ପଶ୍ଚିମବଙ୍ଗ(୨) ଆଣ୍ଡାମାନ ଓ ନିକୋବର (୧) ଏବଂ ଲାକ୍ଷାଦ୍ବୀପରୁ ଗୋଟିଏ ଆସନ ପାଇଁ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର