ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢ଼ିଲା: ସାଂସଦଙ୍କ ୯୫ ଲକ୍ଷ, ବିଧାୟକଙ୍କ ୪୦ ଲକ୍ଷ

ନୂଆଦିଲ୍ଲୀ : ନିର୍ବାଚନ କମିସନର ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଗୁରୁବାର ଦିନ ସାଂସଦ ଏବଂ ବିଧାୟକମାନଙ୍କ ନିର୍ବାଚନ ଖର୍ଚ୍ଚ ରାଶିର ସର୍ବୋଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି। ଲୋକସଭା ପାଇଁ ପ୍ରାର୍ଥୀ ହେଉଥିବା ବ୍ୟକ୍ତିମାନେ ସର୍ବାଧିକ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ବର୍ତ୍ତମାନ ଏହି ସୀମା ୭୦ ଲକ୍ଷ ଟଙ୍କାରେ ରହିଛି। ସେହିଭଳି ବିଧାୟକ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନେ ଏଣିକି ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ସେମାନଙ୍କ ପାଇଁ ଏବେ ସର୍ବୋଚ୍ଚ ଖର୍ଚ୍ଚସୀମା ୨୮ ଲକ୍ଷ ଟଙ୍କା ରହିଛି। ମୁଦ୍ରାସ୍ଫୀତି ଏବଂ ଭୋଟରଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରୁ ଏହି ନିୟମ କାର୍ଯ୍ୟକାରୀ ହେବ।

ତେବେ ବଡ଼ ରାଜ୍ୟ କ୍ଷେତ୍ରରେ ଏହି ସର୍ବୋଚ୍ଚ ରାଶିକୁ କାର୍ଯ୍ୟକାରୀ କରାଯିବ। ଛୋଟ ରାଜ୍ୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚ ସୀମା ୫୪ ଲକ୍ଷ ଟଙ୍କା ପରିବର୍ତ୍ତେ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ସର୍ବୋଚ୍ଚ ଖର୍ଚ୍ଚ ସୀମାକୁ ୨୦ ଲକ୍ଷ ଟଙ୍କାରୁ ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ନିର୍ବାଚନ କମିସନ ପକ୍ଷରୁ ଖର୍ଚ୍ଚ ସୀମାରେ ସଂଶୋଧନ ପାଇଁ ୨୦୨୦ ମସିହାରେ ଏକ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ଆଇଏଏସ ଅଫିସର ହରୀଶ କୁମାର, ନିର୍ବାଚନ କମିସନ ସେକ୍ରେଟାରି ଜେନେରାଲ ଉମେଶ ସିହ୍ନା ଏବଂ ବରିଷ୍ଠ ଉପ ନିର୍ବାଚନ କମିସନର ଚନ୍ଦ୍ର ଭୂଷଣ କୁମାରଙ୍କୁ ନେଇ ଏହି କମିଟି ହୋଇଥିଲା। ରାଜନୈତିକ ଦଳ, ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ମତାମତ ନେବା ପରେ କମିଟି ନିର୍ବାଚନ କମିସନଙ୍କୁ ଖର୍ଚ୍ଚବୃଦ୍ଧି ସୁପାରିସ କରିଥିଲା। ନିର୍ବାଚନ କମିସନ ଉକ୍ତ ରିପୋର୍ଟକୁ ଗ୍ରହଣ କରିବା ପରେ ଆଇନ ମନ୍ତ୍ରାଳୟ ଆଜି ଏହାର ବିଜ୍ଞପ୍ତି ଜାରି କରିଛି। ଏହାପୂର୍ବରୁ ୨୦୧୪ରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ସଂଶୋଧନ କରାଯାଇଥିଲା।

ସମ୍ବନ୍ଧିତ ଖବର