ରାତିରେ ଆତଙ୍କବାଦ, ଦିନରେ କ୍ରିକେଟ ଖେଳ ଚଳିବ ନାହିଁ : ଜୟଶଙ୍କର

ନ୍ୟୁୟର୍କ : ରାତିରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରିବ ଓ ଦିନରେ ଆମେ ତାଙ୍କ ସହିତ କ୍ରିକେଟ ଖେଳିବୁ, ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଏଠାରେ କାଉନସିଲ ଅଫ ଫରେନ ରିଲେସନ୍ସ ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ପାକିସ୍ତାନ ଏପରି ଏକମାତ୍ର ଦେଶ ଯିଏକି ଆତଙ୍କବାଦକୁ ନିଜର ରାଷ୍ଟ୍ରନୀତିରେ ସାମିଲ କରିଛି । ବିଶ୍ୱର ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉଛି, କିନ୍ତୁ ଭାରତର ପଡୋଶୀ ଏକମାତ୍ର ଦେଶ ଯିଏକି ଆତଙ୍କବାଦୀଙ୍କୁ ସହାୟତା କରି ଭାରତକୁ ପଠାଉଛି । ସେ କହିଛନ୍ତି ଯେ ପାକିସ୍ତାନ ସହିତ କଥାବାର୍ତ୍ତା ହେବାରେ କୌଣସି ସମସ୍ୟା ନାହିଁ । ସମସ୍ୟା ହେଉଛି ଯେଉଁ ଦେଶ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛି ଓ ସବୁବେଳେ ତାହାକୁ ଅସ୍ପୀକାର କରେ, ତାହା ସହିତ କିପରି କଥାବାର୍ତ୍ତା କରାଯିବ । ସେ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ କେବଳ କଶ୍ମୀର ଏକ ସମସ୍ୟା ନୁହେଁ, ବରଂ ଆତଙ୍କବାଦ ଏକ ପ୍ରମୁଖ ସମସ୍ୟା ।

ସେ କହିଛନ୍ତି ଯେ ଗୋଟିଏ ଦେଶ ସବୁବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବ ଓ ମଝିରେ ଚା ପାନ ବିରତି ପରି କହିବ ଯେ ଚାଲ କ୍ରିକେଟ ଖେଳିବା । ଏହା କୁ ଲୋକେ ଗ୍ରହଣ କରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଭାରତର ଏକ ଅସ୍ୱାଭାବିକ ପଡୋଶୀ । ଉଭୟ ଦେଶ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ହୋଇଥିଲେ ମଧ୍ୟ ପାକିସ୍ତାନ ଭାରତକୁ ସର୍ବାଧିକ ଅନୁଗୃହୀତ ଦେଶର ମାନ୍ୟତା ଦେଇନାହିଁ । ପାକିସ୍ତାନ ଭିତର ଦେଇ ଇରାନ, ଆଫଗାନିସ୍ତାନ ଯିବାକୁ ଅନୁମତି ଦିଏନାହିଁ । ଏପରି ଦେଶ ସହିତ କିପରି ସଂପର୍କ ରଖିହେବ ।

ସମ୍ବନ୍ଧିତ ଖବର