‘ଯୌନ ସମ୍ପର୍କ ପୂର୍ବରୁ ଆଧାର କାର୍ଡ ଯାଞ୍ଚ କରିପାରିବେ ନାହିଁ’: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ସହମତିଭିତ୍ତିକ ଶାରୀରିକ ସମ୍ପର୍କରେ ଥିବା ଜଣେ ବ୍ୟକ୍ତି ତାଙ୍କ ସାଥୀଙ୍କ ଜନ୍ମ ତାରିଖକୁ ନ୍ୟାୟିକ ଭାବେ ଯାଞ୍ଚ କରିବା ଆବଶ୍ୟକ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଏଥିସହ ସରକାରୀ ଦସ୍ତାବିଜ ଅନୁଯାୟୀ ନାବାଳକ ସାଥୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଅଦାଲତ କହିଛନ୍ତି ଯେ ଜଣେ ବ୍ୟକ୍ତି ସହମତିଭିତ୍ତିକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ତାଙ୍କ ସାଥୀଙ୍କ ଜନ୍ମ ତାରିଖ ତାଙ୍କ ବିଦ୍ୟାଳୟ ରେକର୍ଡରୁ ଯାଞ୍ଚ କରିବା ଆବଶ୍ୟକ ନୁହେଁ। ଅନ୍ୟ ବ୍ୟକ୍ତିଙ୍କ ସହ ସହମତିଭିତ୍ତିକ ଶାରୀରିକ ସମ୍ପର୍କରେ ଥିବା ବ୍ୟକ୍ତି ଜଣକ ଅନ୍ୟ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନ୍ୟାୟିକ ଭାବରେ ଯାଞ୍ଚ କରିବା ମଧ୍ୟ ଆବଶ୍ୟକ ନୁହେଁ। ଏଥିପାଇଁ ଆଧାର କାର୍ଡ, ପାନ୍‌ କାର୍ଡ ଦେଖିବା ଏବଂ ଶାରୀରିକ ସମ୍ପର୍କରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ବିଦ୍ୟାଳୟ ରେକର୍ଡରୁ ଜନ୍ମ ତାରିଖ ଯାଞ୍ଚ କରିବାର ଆବଶ୍ୟକ ନୁହେଁ।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଜସମିତ ସିଂ କହିଛନ୍ତି, ପୀଡ଼ିତଙ୍କ ଆଧାର କାର୍ଡ ଅଛି ଏବଂ ଏହା ଦର୍ଶାଉଛି ଯେ ୦୧.୦୧.୧୦୯୮ ହେଉଛି ତାଙ୍କର ଜନ୍ମ ତାରିଖ। ତେବେ, ଜନ୍ମ ତାରିଖ ବିଷୟରେ, ଲାଗୁଛି ଯେ ପୀଡ଼ିତଙ୍କର ତିନିଟି ଭିନ୍ନ ଭିନ୍ନ ଜନ୍ମ ତାରିଖ ଅଛି। ଅନ୍ୟପକ୍ଷରେ ମାମଲାରେ ହୋଇଥିବା ଆର୍ଥିକ କାରବାରୁ ପ୍ରାଥମିକ ଦୃଷ୍ଟିରୁ, ଏହା ଏକ ‘ହନିଟ୍ରାପ୍‌’ ମାମଲା ପରି ମନେହୁଏ ଏବଂ ୨୦୧୯ ଏବଂ ୨୦୨୧ରେ ଘଟିଥିବା କଥିତ ଘଟଣା ପାଇଁ ଏପ୍ରିଲରେ ଏଫଆଇଆର ପଞ୍ଜିକରଣରେ ଅତ୍ୟଧିକ ବିଳମ୍ବ ପାଇଁ କୌଣସି ସନ୍ତୋଷଜନକ କାରଣ ଦିଆଯାଇ ନାହିଁ। ଏଫଆଇଆରରେ ଦର୍ଶାଯାଇଥିବା ବିବରଣୀ ଅନୁଯାୟୀ, ୨୦୧୯ରୁ ଆବେଦନକାରୀଙ୍କ ସହ ତାଙ୍କର ସମ୍ପର୍କ ରହିଛି। ପ୍ରାଥମିକ ଦୃଷ୍ଟିରୁ, ଏହା ଏକ ବ୍ଲାକମେଲିଂ ଓ ହନିଟ୍ରାପିଂର ମାମଲା ପରି ମନେହୁଏ। ତଥାପି ଦିଲ୍ଲୀ ପୁଲିସ କମିଶନର ଏହି ମାମଲାର ବିସ୍ତୃତ ଅନୁସନ୍ଧାନ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର