ସୁପ୍ରିମକୋର୍ଟଙ୍କ ନି‌ର୍ଦେଶ: କୋଭିଡ୍ ଟିକା ପାଇଁ କାହାରିକୁ ବାଧ୍ୟ କରିପାରିବ ନାହିଁ

ଟିକାର ନକାରାତ୍ମକ ଦିଗ ସାର୍ବଜନୀନ ହେବା ଉଚିତ

ନୂଆଦିଲ୍ଲୀ : କୌଣସି ବ୍ୟକ୍ତିକୁ କୋଭିଡ୍-୧୯ ଟିକା ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ଟିକାର କୌଣସି ନକାରାତ୍ମକ ଦିଗ ଥିଲେ ବା ପ୍ରତିକୂଳ ପ୍ରଭାବ ରହିଥିଲେ ତାହାକୁ ମଧ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ସୋମବାର ଦିନ ନିର୍ଦେଶ ଦେଇଛନ୍ତି।

ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓ ଏବଂ ବିଆର୍ ଗୋଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂକ୍ରାନ୍ତ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ୍ ସଂକ୍ରମଣ ହାର ଯେପର୍ଯ୍ୟନ୍ତ ନଗଣ୍ୟ ରହିଛି ସେପର୍ଯ୍ୟନ୍ତ ଟିକା ନେଇ ନ ଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ସାର୍ବଜନୀନ ସ୍ଥଳକୁ ଯିବା ଲାଗି ବାରଣ କରାଯାଇପାରିବ ନାହିଁ। ଏହି କାରଣରୁ କୌଣସି ସରକାରୀ ସୁବିଧାରୁ ମଧ୍ୟ ଲୋକଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏହାପୂର୍ବରୁ ବିଭିନ୍ନ ସରକାର ଏଭଳି କଟକଣା ସଂପର୍କରେ ଯେଉଁସବୁ ନିଷ୍ପତ୍ତି ନେଇଛନ୍ତି ତାହା ଅକାମୀ ହେବ। ସବୁ ସରକ‌ାର ସୁପ୍ରିମ କୋର୍ଟଙ୍କ ଏହି ଆଦେଶ ଅନୁସାରେ ପଦକ୍ଷେପ ନେବେ ବୋଲି କୋର୍ଟ ସ୍ପଷ୍ଟ କରି‌େଦଇଛନ୍ତି।

କୋର୍ଟ ପୁଣି କହିଲେ ଯେ ବିଶେଷଜ୍ଞମାନଙ୍କ ମତାମତ ଅନୁଯାୟୀ କୋଭିଡ୍ ନୀତିକୁ ମନଇଚ୍ଛା ଲାଗୁ କରାଯାଇ ପାରିବ ନାହିଁ। ଏପର୍ଯ୍ୟନ୍ତ ଯେଉଁମାନେ ଟିକା ନେଇଛନ୍ତି, ଟିକା ନେଲା ପରେ ସେମାନଙ୍କଠାରେ ଯଦି କିଛି ସମସ୍ୟା ଦେଖାଯାଇଥାଏ, ସେସଂକ୍ରାନ୍ତ ତଥ୍ୟ ସିଧାସଳଖ ଲୋକମାନଙ୍କଠାରୁ ବା ଡାକ୍ତରମାନଙ୍କଠାରୁ ସଂଗ୍ରହ କରି ତାହାକୁ ସାର୍ବଜନୀନ କରିବାକୁ ପଡ଼ିବ।

ଡ. ଜାକବ ପୁଲିଏଲଙ୍କେ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ସୋମବାର ଦିନ ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର