୨ଟି ସନ୍ତାନ ନୀତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମାଜରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଆବଶ୍ୟକ, କିନ୍ତୁ ସବୁ ସମସ୍ୟାର ସମାଧାନ କୋର୍ଟରେ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ସଂପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି ।

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅଶ୍ବିନୀ ଉପାଧ୍ୟାୟ ନାମକ ବ୍ୟକ୍ତି ଏହି ଜନସ୍ବାର୍ଥ ମାମଲା ରୁଜ୍ଜୁ କରିଥିଲେ । ଏହାର ଶୁଣାଣି କରି ପ୍ରଧାନ ବିଚାର ପତି ୟୁୟୁ ଲଲିତ, ଜଷ୍ଟିସ ଜେ.ବି.ପାର୍ଡିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟସରକାରମାନଙ୍କୁ ନୋଟିସ ଜାରି କରିଛନ୍ତି । ଏହା ସହିତ ବେଞ୍ଚ୍ କହିଛନ୍ତି ଯେ ଦେଶରେ ୨ଟି ସନ୍ତାନ ନୀତି ଲାଗୁ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ । କାରଣ ଏଥିପାଇଁ ସରକାରୀ ସ୍ତରରେ ନୀତିଗତ ନିଷ୍ପତ୍ତି ନିଆଯାଇଥାଏ । କୋର୍ଟ କହିଛନ୍ତି ଯେ, ଏପରି ଏକ ନିର୍ଦ୍ଦେଶ କିପରି ଦିଆଯାଇପାରିବ ? ଏପରି ନିର୍ଦେଶ ଦେଲେ ସମାଜରେ ସମସ୍ୟା ଆସିବାର ସମ୍ଭାବନା ରହିଛି । ଆମେ ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦୃଷ୍ଟି ଆକର୍ଷଣ କରିସାରିଛୁ, ସେଠାରେ ହିଁ ଆମ କର୍ତ୍ତବ୍ୟ ଶେଷ ହୋଇଛି । ଏବେ ସରକାରଙ୍କ ଦାୟିତ୍ବ ହେଉଛି ଏକ ନୀତିଗତ ନିଷ୍ପତ୍ତି ନେବା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କୋର୍ଟ ପ୍ରଥମେ ଏହି ଶୁଣାଣି କରିବା ପରେ ମାମଲାକୁ ବନ୍ଦ କରିବାକୁ କହିଥିଲେ, କିନ୍ତୁ ପରେ ଏହାକୁ ଆସନ୍ତା ଅକ୍ଟୋବର ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ସମ୍ବନ୍ଧିତ ଖବର