ମେହୁଲ ଚୋକ୍‌ସି କର୍ମଚାରୀଙ୍କୁ ଚିଠି ଲେଖିଲେ : ‘ଅନ୍ୟ କେଉଁଠି ଚାକିରି ଦେଖ, ଦରମା ଦେଇପାରିବି ନାହିଁ ’

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୧,୪୦୦କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ସରକାରୀ ଯାଞ୍ଚ ଏଜେନ୍ସି ଦୁହିଁଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତିକୁ ଜବତ କରି ନେଇଛନ୍ତି।

ତେବେ ଏହାକୁ ନେଇ ଗୀତାଞ୍ଜଳି ଜେମସ୍‌ ଗ୍ରୁପ୍‌ର ମାଲିକ ମେହୁଲ ଚୋକସି ନିଜର କର୍ମଚାରୀଙ୍କ ପାଇଁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମେହୁଲ ଚୋକସି ନିଜର ୩୫୦୦ରୁ ଅଧିକ କର୍ମଚାରୀଙ୍କୁ ସମ୍ଭୋଧିତ କରି ଲେଖିଛନ୍ତି, ‘ଆମ ଉପରେ ବିବାଦ ମାଡି ବସିଛି। ଯାଞ୍ଚ ଏଜେନ୍ସି ଆମର ସମସ୍ତ ସମ୍ପତ୍ତିକୁ ଜବତ କରି ନେବା ସହ ବ୍ୟାଙ୍କ ଖାତାକୁ ଅଚଳ କରିବା ପରେ ବହୁ ଅସୁବିଧା ଦେଖା ଦେଇଛି। ତେଣୁ କର୍ମଚାରୀଙ୍କ ଦରମା ଦେବାରେ ଆମେ ଅସମର୍ଥ ହୋଇଛୁ, ଏଥିପାଇଁ ଆପଣମାନେ ଅନ୍ୟ କେଉଁଠି ଚାକରି ଖୋଜି ନିଅନ୍ତୁ।’

ସେ ଲେଖିଥିବା ଦୀର୍ଘ ଇ-ମେଲରେ କର୍ମଚାରୀଙ୍କୁ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଲ୍ୟାପଟପ୍‌, ମୋବାଇଲ ଫୋନ୍‌ ଫେରାଇବା କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ସେ ଲେଖିଛନ୍ତି, ‘ଏହି ସବୁ ସାମଗ୍ରୀ ସେମାନେ ଏବେ ତାଙ୍କ ପାଖରେ ରଖିଥାଆନ୍ତି। ମୁଁ ଫେରିଲା ପରେ ଯାଇ ସେ ସବୁ କଥା ବୁଝିବି। କେବଳ ଏତିକି ନୁହେଁ, କର୍ମଚାରୀଙ୍କ କୌଣସି ବକେୟା ଟଙ୍କା ରହିବ ନାହିଁ। ସମସ୍ତ ଟଙ୍କା କର୍ମଚାରୀଙ୍କୁ ଫେରାଇ ଦିଆଯିବ। କିନ୍ତୁ ଏଥିପାଇଁ ଟିକେ ସମୟ ଆବଶ୍ୟକ। ପରିସ୍ଥିତି ସାମନ୍ୟ ଦେବା ପରେ ଏସବୁ ସମସ୍ୟାର ସମାଧାନ କରିଦେବି। କର୍ମଚାରୀଙ୍କୁ ସେମାନଙ୍କୁ ଚାକିରି ଅଭିଜ୍ଞତାର ପ୍ରମାଣପତ୍ର ମଧ୍ୟ ମାନବସମ୍ବଳ ବିଭାଗରୁ ନେଇପାରିବେ।’

ଗୀତାଞ୍ଜଳି କମ୍ପାନି ସମୂହର ମାଲିକ ମେହୁଲ ଚୋକସିଙ୍କ ଏହି ପତ୍ରକୁ ତାଙ୍କର ଆଇନଜୀବୀ ସଞ୍ଜୟ ଅବୋଟ ଜାରି କରିଛନ୍ତି।

ଅନ୍ୟପକ୍ଷରେ ମେହୁଲ ଚୋକସି କହିଛନ୍ତି, ‘ମୁଁ କିଛି ଭୁଲ କରି ନାହିଁ। ନିର୍ଦ୍ଦୋଷ ବୋଲି ପ୍ରାମଣ କରିବାକୁ କିନ୍ତୁ କିଛି ସମୟ ଲାଗିବ। କିନ୍ତୁ ମୋର ବିଶ୍ୱାସ କେବେ ନା କେବେ ସତ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ।’

ସମ୍ବନ୍ଧିତ ଖବର