ଲୁଧିଆନା: ଯିଏ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି, ସେ ପଞ୍ଜାବକୁ କେମିତି ଦେବେ? ମତଦାନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଆଜି ଏଭଳି କହି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପଞ୍ଜାବର ଲୁଧିଆନା ସହରରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ କରିଛନ୍ତି।
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ମନେ ପକାଇ ସେ ପ୍ରଶ୍ନ କରିଛନ୍ତି ଯେ, ଯେଉଁ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷିତ ମାର୍ଗ ଦେଇ ପାରୁ ନାହିଁ ସେ ପଞ୍ଜାବକୁ ସୁରକ୍ଷା ଦେଇ ପାରିବ କି?
ଚନ୍ନି ଏବେ ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ସମାଲୋଚନା କରି ଶାହ କହିଛନ୍ତି ଯେ, ଚନ୍ନି ସାହେବ ଏବେ ପଞ୍ଜାବରେ କଂଗ୍ରେସ ସରକାର ଗଠନ କରିବାର ସ୍ୱପ୍ନ ଦେଖୁଛନ୍ତି। ସେ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଯିଏ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏକ ସୁରକ୍ଷିତ ମାର୍ଗ ଯୋଗାଇ ପାରିଲେ ନାହିଁ। ସେ ପଞ୍ଜାବକୁ ସୁରକ୍ଷା ଯୋଗାଇ ପାରିବେ କି?
ଅନ୍ୟପକ୍ଷରେ, ବିଜେପିକୁ କ୍ଷମତାକୁ ଆଣିବାର ପ୍ରତିଶ୍ରୁତି ଦେଇ ଶାହ କହିଛନ୍ତି ଯେ, ପଞ୍ଜାବରେ ସରକାର ଗଠନ କରିବା ପରେ ଆମେ ରାଜ୍ୟର ଚାରୋଟି ସହରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା କରିବୁ। ଡ୍ରଗ୍ସ ରୋକିବା ପାଇଁ ଆମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକ ଟାସ୍କଫୋର୍ସ ଗଠନ କରିବୁ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୬ ତାରିଖରେ ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତା ଉପରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ତାଙ୍କର କାରକେଡ୍ ଫ୍ଲାଏଓଭରରେ ୨୦ ମିନିଟ ପର୍ଯ୍ୟନ୍ତ ଅଟକି ଥିଲା। ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କର କାର୍ଯ୍ୟକ୍ରମ ବାତିଲ କରି ଫେରିଆସିଥିଲେ। ନିକଟ ଅତୀତରେ କୌଣସି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏଭଳି ଢିଲାପଣ କେବେ ଦେଖାଯାଇନଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/t-70.jpg)