ବମ୍ବେ ଆଇଆଇଟି : ଛାତ୍ରୀ ହଷ୍ଟେଲ ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ସୁଟିଂ କରିଥିବା ଅଭିଯୋଗରେ କ୍ୟାଣ୍ଟିନ କର୍ମଚାରୀ ଗିରଫ

ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଏମଏମଏସ୍ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବାବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ରେକର୍ଡିଂ କରିବା ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି ।

ଉକ୍ତ ବ୍ୟକ୍ତି ହଷ୍ଟେଲ ବାଥରୁମ କାନ୍ଥରେ ଲାଗିଥିବା ଏକ ପାଇପ ମାଧ୍ୟମରେ ଉପରକୁ ଚଢି ବାଥରୁମ ଭିତରକୁ ଗୋପନରେ ଦେଖୁଥିଲା ଓ ଭିଡିଓ ରେକର୍ଡ କରୁଥିବା ଅଭିଯୋଗ ହୋଇଛି ।

ପେଷ୍ଟ କଣ୍ଟ୍ରୋଲ ଓ ଆଉ କେତେକ କାମ ପାଇଁ ହଷ୍ଟେଲର କ୍ୟାଣ୍ଟିନ ଗତ କିଛି ଦିନ ହେଲା ବନ୍ଦ ରହିଛି । ମାତ୍ର କ୍ୟାଣ୍ଟିନର କର୍ମଚାରୀମାନେ କ୍ୟାମ୍ପସ ପରିସରରେ ରହୁଛନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳା ହଷ୍ଟେଲରେ ଏସବୁ କାଣ୍ଡ ଘଟାଇଥିବା ମନେକରାଯାଉଛି ।

ଛାତ୍ରୀ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ପୁଲିସ ଆଇପିସିର ୩୫୪ସି ଅନୁସାରେ ଏକ ମାମଲା ରୁଜ୍ଜୁ କରି ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି ।

ଅନ୍ୟପକ୍ଷରେ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଘଟଣା ପରେ ଛାତ୍ରୀ ହଷ୍ଟେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଘଟଣାକୁ ନେଇ ଚଣ୍ଡିଗଡ଼ରେ ପ୍ରବଳ ବିକ୍ଷୋଭ ଜାରି ରହିଥିବାବେଳେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ କେବଳ ନିଜର ଏକ ଏମଏମଏସ ସୁଟିଂ କରିଥିଲା ।

ସମ୍ବନ୍ଧିତ ଖବର