ଜମ୍ମୁ ଓ କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାରରୁ ଅଧିକ ଯବାନ, ଗୃହ ମନ୍ତ୍ରାଳୟର ଘୋଷଣା

ନୂଆଦିଲ୍ଲୀ : ପ୍ରାୟ ୧ ବର୍ଷ ପରେ ଜମ୍ମୁ ଓ କଶ୍ମୀରରୁ ପ୍ରାୟ ୧୦ ହଜାର ସୁରକ୍ଷାବଳ ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏସବୁ ସୁରକ୍ଷାବଳ ଗତ ବର୍ଷ ଅଗଷ୍ଟ ମାସରେ ଧାରା ୩୭୦ ପ୍ରତ୍ୟାହାର ଘୋଷଣା ପୂର୍ବରୁ ମୁତୟନ ହୋଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଜମ୍ମୁ ଓ କଶ୍ମୀରରେ ମୁତୟନ ଥିବା ୧୦୦ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ)କୁ ତୁରନ୍ତ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ୧୦୦ କମ୍ପାନି ଯବାନ ପ୍ରତ୍ୟାହାର ହେବା ପରେ ବି ଜମ୍ମୁ ଓ କଶ୍ମୀରରେ ଆହୁରି ୩୦୦ କମ୍ପାନି ଯବାନ ମୁତୟନ ରହିବେ ।

ଭାରତ ସରକାର ଗତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ । ତେବେ ପରବର୍ତ୍ତି କାଳରେ ଟୁ-ଜି ସେବାକୁ ଅନୁମତି ଦେଇଥିଲେ । ନିକଟରେ ଗତ ଅଗଷ୍ଟ ୧୬ରେ ଜମ୍ମୁ ଓ କଶ୍ମୀରରେ ୪-ଜି ସେବା ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର