ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ବି ନିଜ କର୍ମପଥରୁ ଓହରି ଯାଇ ନ ଥିଲେ ଏହି ନୌସେନା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ନୌସେନା କମାଣ୍ଡର ଅଭିଳାଷ ଟୋମିଙ୍କୁ ୩ ଦିନ ପରେ ଭାରତ ମହାସାଗରରୁ ଉଦ୍ଧାର କରାଯାଇଥିଲା। ଫ୍ରାନ୍‌ସର ଏକ ମାଛଧରା ଡଙ୍ଗା ‘ଓସିରିସ୍‌’ ଦ୍ୱାରା ସେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ୱସ୍ଥ୍ୟାବସ୍ଥା ଠିକ୍‌ ଥିବା ପ୍ରତିରକ୍ଷା ମନ୍ତ୍ରୀ ନର୍ମଳା ସୀତାରମଣ ଟୁଇଟ କରି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଫ୍ରାନ୍‌ସରେ ଚଳିତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ‘ଗୋଲେ୍‌ଡନ୍‌ ଗ୍ଲୋବ୍‌ ରେସ୍‌’ରେ ଟୋମି ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ଶୁକ୍ରବାର ସେ ଦକ୍ଷିଣ ଭାରତ ମହାସାଗରରେ କିଛି ବାଟ ଯିବା ପରେ ନିଖୋଜ ହୋଇଯାଇଥିଲେ। ୩ ଦିନ ଧରି ତାଙ୍କର କୌଣସି ଖୋଜଖବର ମିଳି ନଥିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା ସମେତ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍‌ସର ନୌସେନା ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିଲା।

ଏଥିସହିତ ଟୋମିଙ୍କ ନିଖୋଜ ଖବର ପାଇବା ପରେ ତୁରନ୍ତ ଆଇଏନ୍‌ଏସ୍‌ ସତପୁରାକୁ ଚେତକ ହେଲିକପ୍ଟର ସହିତ ଉଦ୍ଧାର କାର୍ଯ୍ୟ ପାଇଁ ପଠା ଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଆଇଏନ୍‌ଏସ୍‌ ସତପୁରାର କ୍ୟାପଟେନ୍‌ ଆଲୋକ ଆନନ୍ଦଙ୍କ ପିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ଏତେ ବଡ଼ ଦୁଃଖଦ ଖବର ପାଇ ମଧ୍ୟ ଆନନ୍ଦ ନିଜ କର୍ମପଥରେ ତିଳେ ହେଲେ ହେଳା କରି ନ ଥିଲେ। ମନକୁ ଦମ୍ଭ କରି ସେ ଉଦ୍ଧାରକାର୍ଯ୍ୟ ପୂର୍ବ ଭଳି ଜାରି ରଖିଥିଲେ। କାରଣ ତାଙ୍କୁ ଏକ ଜୀବନ ବଞ୍ଚାଇବାର ଥିଲା ବୋଲି ପୂର୍ବତନ ନୌସେନା କମାଣ୍ଡର ଅରୁଣ ଜ୍ୟୋତି ସୋସିଆଲ ମିଡିଆରେ ପୋଷ୍ଟ କରି ଏହି କଥା ସେୟାର କରିଥିଲେ।

ସମ୍ବନ୍ଧିତ ଖବର