ପଞ୍ଜାବ ରାଜନୀତିରେ ନାଟକୀୟ ମୋଡ଼: ଇସ୍ତଫା ଦେଲେ ଅମରିନ୍ଦର

ନୂଆ ନେତା ବାଛିବେ ସୋନିଆ
ମତେ ଅପମାନିତ କରାଯାଇଛି
ମୋ ପାଇଁ ଅନ୍ୟ ବିକଳ୍ପ ଖୋଲା

ଅମୃତସର : ଶନିବାର ଏକ ନାଟକୀୟ ଘଟଣାକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦେଶରେ ସେ ଇସ୍ତଫା ଦେଇଥିଲେ ମଧ୍ୟ ଦଳୀୟ ହାଇକମାଣ୍ଡଙ୍କ ବିରୋଧରେ ବିଷୋଦଗାର କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି ଯେ ଦଳରେ ତାଙ୍କୁ ଅପମାନିତ କରାଯାଇଛି। ଏବେ ସେ କଂଗ୍ରେସରେ ଅଛନ୍ତି। ତେବେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ସେ ଖୁବଶୀଘ୍ର ଘୋଷଣା କରିବେ।

ଆସନ୍ତା ବର୍ଷ ଫେବୃଆରୀ‌ରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦଳ ଭିତରେ‌ ଗଣ୍ଡଗୋଳ ଏବଂ ଅମରିନ୍ଦରଙ୍କ ଇସ୍ତଫା କଂଗ୍ରେସ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଂଗ୍ରେସର ଅବସ୍ଥା ଖରାପ ହେଉଥିବାରୁ ହାଇକମାଣ୍ଡ ଚିନ୍ତାରେ ପଡ଼ିଯାଇଥିଲେ। ଅନେକ ବିଧାୟକ ଅମରିନ୍ଦରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ସଂଗଠନକୁ ସଜାଡ଼ିବାକୁ ଯାଇ ହାଇକମାଣ୍ଡ ଅମରିନ୍ଦରଙ୍କ ବିରୋଧୀ ରୂପେ ପରିଚିତ ନବଜୋତ ସିଂହ ସିଦ୍ଧୁଙ୍କୁ ପିସିସି ସଭାପତି ନିଯୁକ୍ତ କରିଥିଲେ। ଏଥିରେ ଅମରିନ୍ଦର ବିରକ୍ତି ପ୍ରକାଶ କରିଥିଲେ। ସେହିଦିନ ଠାରୁ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅମରିନ୍ଦରଙ୍କ ବିରୋଧରେ ଦଳର ୪୦ ବିଧାୟକଙ୍କ ହଠାତ୍ ଖୋଲା ବିଦ୍ରୋହ କରିବରୁ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯାଇଥିଲା। ଏହି ବୈଠକ ପୂର୍ବରୁ ଅମରିନ୍ଦର ରାଜଭବନ ଯାଇ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

Scroll.in

ଅମରିନ୍ଦର ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ନୂଆ ନେତା ନିର୍ବାଚନ କରିବା ଲାଗି ଶନିବାର ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା।

ବୈଠକରେ ଅମରିନ୍ଦର ଯୋଗ ଦେଇନଥିଲେ ମଧ୍ୟ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ତାଙ୍କର ଅବଦାନର ପ୍ରଶଂସା କରାଯାଇଥିଲା। ଅନ୍ୟ ଏକ ପ୍ରସ୍ତାବରେ ନୂଆ ନେତା ବାଛିବା ଦାୟିତ୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ନ୍ୟସ୍ତ କରାଯାଇଛି। ବୈଠକରେ ୮୦ ବିଧାୟକଙ୍କ ମଧ୍ୟରୁ ୭୮ ଜଣ ଉପସ୍ଥିତ ଥିଲେ।

ଅମରିନ୍ଦରଙ୍କ ସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ? ୪ ଜଣଙ୍କ ନାମକୁ ନେଇ ଆଲୋଚନା ହେଉଛି। ସେମାନେ ହେଲେ ସୁନିଲ ଜାଖଡ଼, ନବଜୋତ ସିଂହ ସିଦ୍ଧୁ, ସୁଖଜିନ୍ଦର ସିଂହ ରନ୍ଧାୱା ଏବଂ ପ୍ରତାପ ସିଂହ ବାଜୱା।

ପଞ୍ଜାବ ବିଧାନଭାରେ ମୋଟ ୧୧୭ ଆସନରୁ କଂଗ୍ରେସ ପାଖରେ ୮୦ ଆସନ ରହିଥିବା ବେଳେ ଆମ୍‌ ଆଦମୀ ପାର୍ଟିର ୧୬ ଏବଂ ଅକାଳୀ ଦଳର ୧୪ ଆସନ ରହିଛି।

ଇସ୍ତଫା ଦେବାପରେ ଅମରିନ୍ଦର କହିଛନ୍ତି, ଦୁଇ ମାସ ଭିତରେ ମୋତେ ୩ ଥର ଦିଲ୍ଲୀ ଡକାଇ ଆଲୋଚନା କରାଯାଇଥିଲା ଏବଂ ମୋ ଉପରେ ଦଳ ହାଇକମାଣ୍ଡ ଖୁସି ନଥିବା ମୁଁ ଅନୁଭବ କରିଥିଲି। ରାଜନୀତିରେ ମୁଁ ୫୨ ବର୍ଷ ଧରି ରହିଛି, ଏବେ ଅପମାନିତ ହେବା ସତ୍ତ୍ବେ ବି ମୁଁ କଂଗ୍ରେସ ଦଳରେ ରହିଛି। ତଥାପି ତାଙ୍କ ପାଖରେ ଅନେକ ବିକଳ୍ପ ଖୋଲା ରହିଛି ‌ଏବଂ ଖୁବଶୀଘ୍ର କାର୍ଯ୍ୟପନ୍ଥା ଘୋଷଣା କରିବେ।

ସମ୍ବନ୍ଧିତ ଖବର