କାନ୍ଦାହାର ବିମାନ ଅପହରଣ କଥା ମନେ ପକାଇଲେ କ୍ୟାପଟେନ୍‌ ଦେବୀ ଶରନ୍‌

କାବୁଲ : ଏୟାର ଇଣ୍ଡିଆର କ୍ୟାପଟେନ୍‌ ଦେବୀ ଶରନ୍‌ ୧୯୯୯ରେ ୧୭୬ ଯାତ୍ରୀଙ୍କୁ ଧରି କାଠମାଣ୍ଡୁରୁ ଦିଲ୍ଳୀକୁ ଯେଉଁ ବିମାନ ଉଡ଼ାଣ କରୁଥିଲେ ତାହାକୁ ୫ ଜଣ ତାଲିବାନ ଆତଙ୍କବାଦୀ ହାଇଜାକ୍‌ କରିନଇଥିଲେ। ପ୍ରଥମେ ଅମୃତସରରୁ ଲାହୋର, ଲାହୋରରୁ ଦୁବାଇ ଏବଂ ଶେଷରେ କାନ୍ଦାହାରରେ ପହଞ୍ଚିଥିଲା ବିମାନ। କ୍ୟାପଟେନ୍‌ ଦେବୀ ଶରନ୍‌ଙ୍କ ବିମାନଟିକୁ କାନ୍ଦାହାର ନେବାପାଇଁ କୁହାଯାଇଥିଲା। ୭ ଦିନ ଧରି ବିମାନ ଅଟକ ରଖାଯାଇଥିଲା। ୩ ଆତଙ୍କବାଦୀ ମୁସ୍ତାକ ଅହମଦ ଜରଗାର, ଅହମଦ ଓମାର୍‌ ସୟିଦ ଶେଖ୍‌ ଏବଂ ମାସୁଦ ଆଝାରକୁ ଛାଡ଼ିବାପାଇଁ ଭାରତ ରାଜି ହେବାପରେ ବିମାନରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଛଡ଼ା ଯାଇଥିଲା। ସେ ସମୟରେ କ୍ୟାପଟେନ୍‌ ଦେବୀ ଶରନ୍‌ଙ୍କୁ ୩୭ ବର୍ଷ ହୋଇଥିଲା। ତାଲିବାନ୍‌ମାନେ ଆଫଗାନିସ୍ତାନକୁ ଶାସନ କରୁଥିଲେ। ତାଲିବାନ ଆତଙ୍କବାଦୀ ବିମାନକୁ କାନ୍ଦାହାର ବିମାନବନ୍ଦରରେ ବଳପୂର୍ବକ ଅବତରଣ କରାଇଥିଲେ। ଚଳିତ ଅଗଷ୍ଟରେ ତାଲିବାନ୍‌ ପୁଣି କାବୁଲ୍‌କୁ ଅକ୍ତିଆର କରିନେଇଛନ୍ତି। ଇତି ମଧ୍ୟରେ ୨୦ ବର୍ଷ ବିତିଯାଇଛି। କିନ୍ତୁ ୧୯୯୬ରୁ ୨୦୦୧ ମଧ୍ୟରେ ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ୍‌ ଏବଂ ବର୍ତ୍ତମାନର ତାଲିବାନ୍‌ ମଧ୍ୟରେ ବିଶେଷ କିଛି ଫରକ୍‌ ନାହିଁ ବୋଲି କ୍ୟାପଟେନ୍‌ ଶରନ୍‌ କହିଛନ୍ତି।

୨୦ ବର୍ଷ ପୂର୍ବେ ତାଲିବାନ୍‌ ଆତଙ୍କବାଦୀ ଯେଉଁ ବ୍ୟବହାର ଦେଖାଇଥିଲେ ତାହା ବିଶ୍ବାସ କରିବା ବି କଷ୍ଟକର। ସେମାନଙ୍କ ନିଷ୍ଠୁରତା ସମସ୍ତଙ୍କୁ ବିସ୍ମିତ କରୁଥିଲା। ୧୯୯୯‌ରେ ହାଇଜାକ୍‌ ହୋଇଥିବା ବିମାନରେ ଥିବା ଯାତ୍ରୀଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏବେ କାବୁଲ୍‌ ବିମାନବନ୍ଦରରେ ‌ପ୍ରତିଦିନ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଛାତି ଥରାଇ ଦେଉଛି। ‘୧୯୯୯ରେ ଆମେ ଯେଭଳି ଖସି ଆସିବାକୁ ବ୍ୟାକୁଳ ହେଉଥିଲୁ ଏବେ ବି ଠିକ୍‌ ‌ସେମିତି ଲୋକେ ଖସି ଆସିବାକୁ ଚାହୁଛନ୍ତି। କିନ୍ତୁ ଆତଙ୍କବାଦୀ ଏଥିରେ ବାଧକ ସାଜିଛନ୍ତି’ ବୋଲି ଶରନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର