ଯଦି ଆନ୍ଦୋଳନ କରିବାର ଅଛି ପଞ୍ଜାବ ଛାଡି ଦିଲ୍ଲୀ କିମ୍ବା ହରିୟାଣା ଯାଅ, ଆନ୍ଦୋଳନରତ ଚାଷୀଙ୍କୁ ସଫା ସଫା ଶୁଣାଇଦେଲେ କ୍ୟାପଟେନ

ଚଣ୍ଡୀଗଡ଼: ଏଯାଏଁ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କୃଷକଙ୍କ ପ୍ରତି ମନୋଭାବ ବଦଳିଥିବାର ଦେଖିବାକୁ ମିଳିଛି | ସୋମବାର ହୋଶିଆରପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କ୍ୟାପଟେନ ଅମରିନ୍ଦର ସିଂ ଚାଷୀଙ୍କୁ ନିବେଦନ କରିଛନ୍ତି ଯେ ଯଦି ସେମାନେ ଆନ୍ଦୋଳନ କରିବାକୁ ଚାହାଁନ୍ତି ତେବେ ପଞ୍ଜାବ ବଦଳରେ ଦିଲ୍ଲୀ କିମ୍ବା ହରିୟାଣା ଯାଆନ୍ତୁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ ଆନ୍ଦୋଳନ କାରଣରୁ ରାଜ୍ୟକୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |

କ୍ୟାପଟେନ କହିଛନ୍ତି ଯେ ରାଜ୍ୟର ୧୧୩ଟି ସ୍ଥାନରେ କୃଷକଙ୍କ ଆନ୍ଦୋଳନ ଚାଲିଛି ଏବଂ ଏହି ଆନ୍ଦୋଳନ ରାଜ୍ୟର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି। କୃଷକମାନେ ଯଦି ଲଗାତାର ଆନ୍ଦୋଳନ କରିବାକୁ ଚାଁହୁଛନ୍ତି ତେବେ ପଞ୍ଜାବ ବଦଳରେ ହରିୟାଣା କିମ୍ବା ଦିଲ୍ଲୀ ଯିବା ଉଚିତ୍। ଏହା ସହିତ ସେ ନୂତନ କୃଷି ନିୟମ ସମ୍ବନ୍ଧରେ ଶିରୋମଣି ଅକାଳୀ ଦଳକୁ ଟାର୍ଗେଟ କରିଛନ୍ତି |

କ୍ୟାପଟେନ କହିଛନ୍ତି ଯେ ଯେତେବେଳେ ବିଲ ପ୍ରସ୍ତୁତ ହେଉଥିଲା, ଶିରୋମଣି ଅକାଳୀ ଦଳ ଏଥିରେ ସହମତ ହୋଇଥିଲା । ଆଉ ଏବେ ସେମାନେ ଏହାକୁ ବିରୋଧ କରୁଛନ୍ତି | କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୭ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି। ଏଭଳି ପରିସ୍ଥିତିରେ କୃଷକଙ୍କ ସ୍ୱାର୍ଥ ପାଇଁ ଏହା ଆଉ ଥରେ କାହିଁକି କରାଯାଇପାରିବ ନାହିଁ?

ସମ୍ବନ୍ଧିତ ଖବର