ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରେ ଗତ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କାର ବରଯାତ୍ରୀଙ୍କ ଉପରେ ଚଢ଼ିଯିବାରୁ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ଏହି ଘଟଣାରେ ପୁଲିସ ଦୁର୍ଘଟଣା ଘଟାଇଥିବା କାର ଚାଳକଙ୍କୁ ଗିରଫ କରିବା ସହିତ ତାଙ୍କ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦୁର୍ଘଟଣା ଘଟାଇଥିବା କାର ଚାଳକ ଅତ୍ୟଧିକ ମଦ ପିଇଥିଲେ। ନିଶାରେ ଥିବାରୁ ସେ କାର ଉପରେ ନିୟନ୍ତ୍ରଣ ରଖି ପାରିଥିଲେ। ତେଣୁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି।
ଏହି ଦୁର୍ଘଟଣା ମେରଠର ଥାନା ଜାନି ଅଞ୍ଚଳସ୍ଥ ବାଗପତ ଜାତୀୟ ରାଜପଥରେ ଘଟିଛି। ଜାନି ଥାନା ଅଧୀନସ୍ଥ ସିସୋଲ ଖୁର୍ଦରେ ବସବାସ କରୁଥିବା ପ୍ରଭାତଙ୍କ ପୁଅ ଶ୍ରୀପାଲଙ୍କ ବିବାହ କିଠୋଲିରେ ରହୁଥିବା ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା।
ବୁଧବାର ବିଳମ୍ବିତ ରାତିରେ ବାହାଘର ପାଇଁ ବର ଘୋଡାରେ ଚଢ଼ୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର ବରଯାତ୍ରୀଙ୍କ ଉପରେ ମାଡ଼ି ଚାଲି ଯାଇଥିଲା। ଏମିତିକି ମୃତ ବରଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ କାର ଚାଳକ ଧକ୍କା ଦେବା ପରେ କିଛି ମିଟର ପର୍ଯ୍ୟନ୍ତ ଘୋଷାରି ମଧ୍ୟ ନେଇଥିଲେ।
ଏହି ଦୁର୍ଘଟଣାରେ ୧୨ରୁ ଅଧିକ ବରଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଏହି ଦୁର୍ଘଟଣା ପରେ ହସଖୁସିରେ ଭରି ରହିଥିବା ଘରେ ଶୋକରଛାୟା ଖେଳି ଯାଇଥିଲା।