ପଛୁଆ ଚଳାଇବା ବେଳେ ପାହାଡ଼ରୁ ୩୦୦ ଫୁଟ୍‌ ତଳକୁ ଖସିଲା କାର୍: ମହିଳାଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ଜଣେ ମହିଳା ନିଜ କାର୍‌କୁ ପାହାଡ଼ରୁ ପଛୁଆ ଚଳାଇବା ବେଳେ ଏହା ୩୦୦ ଫୁଟ୍‌ ତଳକୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ମହିଳାଙ୍କ ସାଙ୍ଗ କ୍ୟାମେରାରେ ରେକର୍ଡ କରିଥିଲେ, ଯିଏ କି ତାଙ୍କ ଗାଡି ଚଳାଇବା ଶିଖିବାର ଭିଡିଓ ପ୍ରସ୍ତୁତ କରୁଥିଲେ। ଭିଡିଓରେ ୨୩ ବର୍ଷୀୟା ଶ୍ୱେତା ଦୀପକ ସୁରୱାସେ ଡ୍ରାଇଭର ସିଟ୍‌ରେ ବସିଥିବା ବେଳେ ତାଙ୍କ ସାଙ୍ଗ ୨୫ ବର୍ଷୀୟ ସୂରଜ ସଞ୍ଜାଉ ମୁଲେ ତାଙ୍କର ଏକ ଭିଡିଓ ରେକର୍ଡ କରୁଥିଲେ। ସୋମବାର ଅପରାହ୍ଣରେ ଏହି ଦୁଇ ବନ୍ଧୁ ଔରଙ୍ଗାବାଦରୁ ସୁଲିଭଞ୍ଜନ ପାହାଡ଼କୁ ଯାଇଥିଲେ।

ଅପରାହ୍ଣ ପ୍ରାୟ ୨ଟା ବେଳେ ଶ୍ବେତା କାର୍‌ରେ ବସି ଧୀରେ ଧୀରେ ଏହାକୁ ପଛୁଆ ଚଳାଇବା ଆରମ୍ଭ କରିଥିଲେ। କାର୍‌ଟି ସେତେବେଳେ ପାହାଡ଼ଠାରୁ ୫୦ ମିଟର ଦୂରରେ ରହିଥିଲା। ତେବେ ସେ ପଛୁଆ ଚାଳନା ଜାରି ରଖିଥିବାରୁ କାର୍‌ର ବେଗ ବଢିବା ସହ ତାଙ୍କ ସାଙ୍ଗ ତାଙ୍କୁ ଧୀରେ ଚଳାଇବାକୁ ଓ କ୍ଲଚ୍ ଧରିବାକୁ ଚେତାବନୀ ଦେଇଥିଲେ। ତଥାପି କାର୍‌ଟି ଜୋରରେ ପଛକୁ ଗଡ଼ିବାରୁ ସେ ତାଙ୍କୁ ଅଟକାଇବାକୁ ଦୌଡ଼ିଆସିଥିଲେ। କିନ୍ତୁ କାର୍‌ଟି ଆଉ ଅଟକି ନ ଥିଲା। ଏହା ୩୦୦ ଫୁଟ୍‌ ଉଚ୍ଚରୁ ପାହାଡ଼ ତଳକୁ ଖସି ପଡ଼ିଥିଲା। କାର୍‌ଟି ଚୂରମାର ହୋଇଯିବା ସହ ମହିଳାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର