ବେଙ୍ଗାଲୁରୁ : ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ସାରା ଦେଶ ସ୍ତବଧ ଥିବାବେଳେ ଲୋକମାନେ କିନ୍ତୁ ନିଜ ଦାୟିତ୍ବହୀନ ଆଚରଣ ଛାଡ଼ିପାରୁନାହାନ୍ତି । କର୍ଣ୍ଣାଟକର ଉତ୍ତର କନ୍ନଡା ଜିଲ୍ଲାର ଜଣେ ବ୍ୟକ୍ତି ପାଦଚଲା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଝୁଲାପୋଲରେ କାର ଚଳାଇ ଯାଉଥିବାବେ​ଳେ ଫସିଯାଇଥିଲା । ପରେ ସ୍ଥାନୀୟ ଲୋକ ଓ ପୁଲିସର ସହାୟତାରେ କାରକୁ ବାହାର କରାଯାଇଥିଲା ।

Advertisment

ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକର ଉତ୍ତର କନ୍ନଡା ଜିଲ୍ଲା ୟେଲ୍ଲାପୁରା ଟାଉନରେ ଏକ ଅଣଓସାରିଆ ଝୁଲା ପୋଲ ରହିଛି । ଏହି ଝୁଲା ପୋଲଟିକୁ କେବଳ ପାଦଚଲା ଯାତ୍ରୀ ଓ ବେଳେବେଳେ ବାଇକଆରୋହୀମାନେ ବ୍ୟବହାର କରିଥାନ୍ତି । କିନ୍ତୁ କାର ଓ ଭାରିଯାନ ଚଳାଚଳ ପାଇଁ ଏହାକ ତିଆରି କରାଯାଇନାହିଁ ଓ ଏହି ଅଣଓସାରିଆ ପୋଲରେ ଏକ କାର ପ୍ରବେଶ କରିପାରିବ ନାହିଁ ।

ଏହା ସତ୍ତ୍ବେ ଜଣେ ବ୍ୟକ୍ତି ନିଜର ମାରୁତି-୮୦୦ କାର ଚଳାଇ ଏହି ପୋଲରେ ପ୍ରବେଶ କରିଯାଇଥିଲେ । କିନ୍ତୁ କାର କଷ୍ଟେମଷ୍ଟେ କିଛିବାଟ ଯିବା ପରେ ପୋଲ ମଝିରେ ଅଟକିଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପରେ କାରକୁ ବାହାର କରିବାରେ ସହାୟତା କରିଥିଲେ ।

ବାହାରକୁ ବାହାରିବା ପରେ କାର ଚାଳକ ସଫେଇ ଦେଇ କହିଛି ଯେ, ସେ ଏହି ପୋଲରେ କାର ଚଳାଇବା ମନା ବୋଲି ଜାଣିନଥିଲା । ଲୋକମାନେ ବାଇକ ନେଇ ଯିବା ଆସିବା କରୁଥିବାରୁ କାର ବି ଚାଲିଯିବ ବୋଲି ଭାବି ସେ କାର ପ୍ରବେଶ କରାଇଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।