ପରିବହନ କାର୍ଯ୍ୟାଳୟରୁ କାରକୁ ମୁକୁଳାଇବା ପାଇଁ କାର ମାଲିକ ଦେଲେ ୨୭ ଲକ୍ଷ ଟଙ୍କା

ଅହମ୍ମଦାବାଦ: ପରିବହନ କାର୍ଯ୍ୟାଳୟରୁ ନିଜର କାରକୁ ମୁକୁଳାଇବା ପାଇଁ କାର ମାଲିକ ଦେଲେ ୨୭ ଲକ୍ଷ ୬୮ ହଜାର ଟଙ୍କାର ଜରିମାନା | ଏହା ପରେ ହିଁ ନିଜର ଦାମୀ କାରକୁ ଫେରିପାଇଛନ୍ତି ମାଲିକ | ନଭେମ୍ବର ମାସରେ କାରର ନମ୍ବର ପ୍ଲେଟ ନ ଥିବା ସହ ବୈଧ କାଗଜପତ୍ର ନଥିବାରୁ ଟ୍ରାଫିକ ପୁଲିସ ରାସ୍ତା ଉପରୁ ଏହି କାରକୁ ଉଠାଇନେଇଥିଲେ | ଏହା ପରେ ଅହମ୍ମଦାବାଦ ଟ୍ରାଫିକ ପୁଲିସ କାର୍ଯ୍ୟାଳୟରେ ଏହି କାରକୁ ରଖାଯାଇଥିଲା | ଶେଷରେ ଆଜି ପରିବହନ କାର୍ଯ୍ୟାଳୟରେ ପାଖାପାଖି ୨୮ ଲକ୍ଷ ଟଙ୍କା ଦେଇ କାର ମାଲିକ ରଂଜିତ ଦେଶାଇ ଏହି କାରକୁ ମୁକୁଳାଇଛନ୍ତି | ବଳକା ଥିବା ପରିବହନ ଟିକସ ଓ ଜରିମାନା ଅର୍ଥ ମିଶାଇ ଏତେ ପରିମାଣର ଟଙ୍କା ଦେବାକୁ ପଡିଛି ତାଙ୍କୁ।

ଏଠାରେ ସୂଚନା ଥାଉ କି ନଭେମ୍ବର ୩୦ ତାରିଖରେ ନିୟମ ଉଲ୍ଲଂଘନ କରିଥିବାରୁ କାର ମାଲିକଙ୍କ ନାମରେ ୯ ଲକ୍ଷ ୮୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ସେତେବେଳେ ଟ୍ରାଫିକ ପୁଲିସ ଅଧିକାରୀ କାରକୁ ଜବତ କରିଥିଲେ ଓ ମୋଟର ବାହନ ଅଧିନିୟମ ଅନୁଯାୟୀ ଆରଟିଓ ମେମୋ ଜାରି କରାଯାଇଥିଲା | ଅର୍ଥାତ ଆରଟିଓଙ୍କ ପାଖକୁ ଆସି କାର ମାଲିକଙ୍କୁ ଜରିମାନା ଦେବାକୁ ହେବ ଓ ଗାଡି ମୁକୁଳାଇବାକୁ ହେବ। ଏଥିସହ ପୁଲିସ ପାଖକୁ ଯାଇ ଜରିମାନାର ରସିଦ ଦେବାକୁ ହେବ |

ଏଠାରେ ସୂଚନା ଥାଉ କି କାର ମାଲିକ ଜଣକ କାର ଚଳାଇଲା ବେଳେ ସିଟ ବେଲ୍ଟ ବାନ୍ଧି ନ ଥିଲେ କି ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡିର କାଗଜପତ୍ର ନ ଥିଲା । ଯେଉଁ ଗାଡିର ଚାଲାଣ କଟିଥିଲା, ତାହା ହେଉଛି ପୋରସ୍କେ କମ୍ପାନୀର ସବୁଠାରୁ ଦାମୀ ଗାଡି । ବଜାରରେ ଏହି ଗାଡିର ଦାମ୍ ପାଖାପାଖି ସାଢେ ଦୁଇ କୋଟି ଟଙ୍କା ହେବ । ଅହମଦାବାଦ ପୁଲିସ ପକ୍ଷରୁ ଆରଟିଓର ଏହି ଚାଲାଣ ଓ ରସିଦକୁ  ଟ୍ୱିଟ କରାଯାଇଛି | ଅହମଦାବାଦ ପୁଲିସ ପକ୍ଷରୁ କୁହାଯାଇଛି ଯେ ୨୭ ଲକ୍ଷ ଜରିମାନା ଭାରତର ସବୁଠାରୁ ଅଧିକ ଜରିମାନା |

ସମ୍ବନ୍ଧିତ ଖବର