ନୂଆଦିଲ୍ଲୀ: ଲୋକଙ୍କ ଡିମାଣ୍ଡ ଦେଖି ଚୋରି କରୁଥିଲେ କାର | ଯେଉଁ କାର ଲୋକଙ୍କର ଅଧିକ ପସନ୍ଦ ଥିଲା ସେହି କାରକୁ ଟାର୍ଗେଟ କରୁଥିଲେ ଲୁଟେରା | ଉତ୍ତରପ୍ରଦେଶର ଗାଜିଆବାଦ ପୁଲିସ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୫ ଜଣ ଲୁଟେରାଙ୍କୁ ଗିରଫ କରିଛି। ଏହି ଲୁଟେରାମାନଙ୍କ ନିକଟରୁ ୬ଟି କାର ଜବତ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୭୦ ରୁ ୮୦ ଲକ୍ଷ ଟଙ୍କା ହୋଇଥିବାବେଳେ ପୁଲିସ ସେମାନଙ୍କଠାରୁ ଦୁଇଟି ପିସ୍ତଲ, ଦୁଇଟି ନକଲି ଆଧାର କାର୍ଡ ମଧ୍ୟ ଜବତ କରିଛି। ଗାଜିଆବାଦ ପୁଲିସ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଯାଞ୍ଚବେଳେ ସାହିବାବାଦ ଅଞ୍ଚଳରୁ ଏହି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହାପରେ ପୁଲିସ ୬ଟି ଗାଡି ଜବତ କରିଛି ଯାହାର ମୂଲ୍ୟ ୭୦ ରୁ ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Advertisment

ପୁଲିସ ଅଧିକାରୀଙ୍କ କହିବାନୁସାରେ, ଲୁଟେରାମାନେ ଲୋକଙ୍କ ଡିମାଣ୍ଡ ଅନୁସାରେ ଗାଡି ଚୋରି କରୁଥିଲେ | ଯେଉଁ ଗାଡିର ଚାହିଦା ଥିଲା, ସେ ସେହି ଗାଡିକୁ ଚୋରି କରି ଏକ ନିଛାଟିଆ ସ୍ଥାନରେ ନେଇ ପାର୍କିଂ କରୁଥିଲେ | ଦୁଇ-ତିନି ଦିନ ପରେ, ମାମଲା ଶାନ୍ତ ପଡିଯିବାପରେ ସେମାନେ ସେହି କାର ନେଇ ଅନ୍ୟ ଲୋକଙ୍କୁ ବିକ୍ରି କରିଦେଉଥିଲେ | ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମ ହେଉଛି ଫିରୋଜ ଅହମ୍ମଦ, ମନୋଜ ନେହେରା, ନୀରଜ, ଆଫଜାଲ ଏବଂ ୟୁବେସ୍। ବିଭିନ୍ନ ପୁଲିସ ଷ୍ଟେସନରେ ସମସ୍ତଙ୍କ ବିରୋଧରେ କାର ଚୋରି ମାମଲା ପଞ୍ଜିକୃତ ହୋଇଛି। ଅତୀତରେ ସେମାନେ ହିଁ ଗାଜିଆବାଦ ଅଞ୍ଚଳରେ ଗାଡି ଚୋରି କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି | ପୁଲିସର ସୂଚନାନୁସାରେ, ଏମାନଙ୍କର ଦୁଇ ସହଯୋଗୀ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।