ଏମିତି ଏକ ଭିଡିଓ ଯାହାକୁ ଦେଖିବା ପରେ ପୂରା ଦେଶ କହିଲା, ‘ଯାହାକୁ ରଖିବେ ଅନନ୍ତ…’

ବେଙ୍ଗାଲୁରୁ: ଓଡ଼ିଆରେ ଏକ ବହୁ ପ୍ରଚଳିତ ଆପ୍ତ ବାକ୍ୟ ଅଛି; ‘ଯାହାକୁ ରଖିବେ ଅନନ୍ତ…’। ଏହି ଆପ୍ତ ବାକ୍ୟର ସତ୍ୟତା ଏବେ ଦେଖିବାକୁ ମିଳିଛି ବେଙ୍ଗାଲୁରୁରୁ। ଶୁଣିବାକୁ ଅବିଶ୍ୱାସ୍ୟ ମନେ ହେଉଥିଲେ ମଧ୍ୟ ଘଟଣାଟି ସଂପୂର୍ଣ୍ଣ ସତ୍ୟ। କାରଣ ଘଟଣାଟିର ସତ୍ୟତା ବୟାନ କରୁଛି ଭିଡିଓ ଚିତ୍ର। ଏଇ ଭିଡିଓଟିକୁ ନେଇ ଏବେ ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଥିବା ବେଳେ, ଯିଏ ବି ଏଇ ଭିଡିଓଟିକୁ ଦେଖୁଛି ଆଶ୍ଚର୍ଯ୍ୟ ଚକିତ ହେବା ସହ କହୁଛି; ‘ଯାହାକୁ ରଖିବେ ଅନନ୍ତ…’।

ଘଟଣାଟି ଏହିପରି। ତାରିଖ ସେପ୍ଟେମ୍ବର ୨୪। ସୋମବାର। ସମୟ ସନ୍ଧ୍ୟା ୭ଟା। ବେଙ୍ଗାଲୁରୁର ଏକ ଘରୋଇ କଲୋନି ଅଞ୍ଚଳରେ ୧୦ରୁ ୧୫ ବର୍ଷ ମଧ୍ୟରେ ଦଳେ ପିଲା ରାସ୍ତା ଉପରେ ଫୁଟବଲ୍‌ ଖେଳୁ ଥାଆନ୍ତି ସାଙ୍ଗ ହୋଇ। ଏହି ସମୟରେ ସେମାନଙ୍କ ମଧ୍ୟରୁ ପିଲାଟିଏ ବସିପଡ଼େ ରାସ୍ତା ଉପରେ ନିଜ ଜୋତାର ଲେସ୍‌କୁ ବାନ୍ଧିବା ପାଇଁ। ଠିକ୍‌ ଏହି ସମୟରେ ଜଣେ ମହିଳା ରାସ୍ତା ଉପରକୁ ଆସନ୍ତି ଆଉ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଧୂସର ରଙ୍ଗର ଓ୍ଵାଗନର ଗାଡ଼ି ନିକଟକୁ ଯାଆନ୍ତି ଆଉ ରାସ୍ତାକୁ ନ ଅନାଇ ସଂପୂର୍ଣ୍ଣ ଅନ୍ୟମନସ୍କ ଭାବେ ଗାଡ଼ି ଷ୍ଟାର୍ଟ କରିବା ସହ ଚଳାଇବା ଆରମ୍ଭ କରି ଦିଅନ୍ତି। ପରେ ଚଳନ୍ତା ଗାଡ଼ିଟି ରାସ୍ତା ଉପରେ ବସି ନିଜର ଜୋତା ଫିତା ବାନ୍ଧୁଥିବା ବାଳକଟି ଉପରେ ସଂପୂର୍ଣ୍ଣ ରୂପେ ଚଢ଼ିଯାଇ ତାକୁ କିଛି ବାଟ ରାସ୍ତା ଉପରେ ଘୋଷାରି ନେବା ପରେ ନିଜ ଗନ୍ତବ୍ୟ ପଥରେ ଚାଲିଯାଏ। ଘଟଣା କ’ଣ କିଛି ବୁଝିବା ପୂର୍ବରୁ ବାଳକଟି ଗାଡ଼ି ତଳେ ଚକ ଭିତରେ ଅନ୍ତର୍ଧ୍ୟାନ ହୋଇ ଯାଉଛି। ଓ ପୁଣି ଗାଡ଼ିଟି ତାକୁ ଅତିକ୍ରମ କରି ଚାଲିଯିବା ପରେ ପିଲାଟି ଗାଡ଼ିତଳୁ ଉଠି ପୁଣି ଖେଳିବା ପାଇଁ ତା’ ସାଙ୍ଗମାନଙ୍କ ନିକଟକୁ ଦୌଡ଼ୁଛି। ବାଳକଟିର ଶରୀରରେ ସାମାନ୍ୟରୁ ସାମାନ୍ୟତମ ଖଣ୍ଡିଆ ଟିଏ ସୁଦ୍ଧା ହୋଇ ନାହିଁ।

ଖାଲି କଥାରେ ଏହାକୁ ବର୍ଣ୍ଣନା କରିଥିଲେ; କେହି ହୁଏତ ଏହାକୁ ବିଶ୍ୱାସ କରି ନଥାନ୍ତେ। କିନ୍ତୁ, ଏହି ଘଟଣାର ସତ୍ୟତା ବୟାନ କରୁଛି, ସେଠାରେ ସୁରକ୍ଷା ପାଇଁ ଲାଗିଥିବା ସିସିଟିଭି କ୍ୟାମେରା। ପୂରା ଘଟଣାକ୍ରମର ସମସ୍ତ ଚିତ୍ର କୈଦ ହୋଇ ରହିଛି ସେଇ ସିସିଟିଭି କ୍ୟାମେରାରେ। ଯାହାକୁ ଦେଖିବା ପରେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଛି ବେଙ୍ଗାଲୁରୁ ପୁଲିସ୍‌। ‘ଏହା ଆମକୁ ଯଥେଷ୍ଟ ଅଧିକ ଶିକ୍ଷା ଦେଉଛି; ଯାହାକୁ ଆମେ କେବଳ ବେଖୁଛୁ…’ ବୋଲି ଏକ କ୍ୟାପସନ ସହ ବେଙ୍ଗାଲୁର ପୁଲିସ୍‌ ଏହି ଭିଡିଓକୁ ଟୁଇଟରରେ ଛାଡ଼ିବା ପରେ ଏହା ଏବେ ଭାଇରାଲ ହୋଇପଡ଼ିବା ସହ ଏହାକୁ ନେଇ ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି। କେତେକ, ପିଲାଟିର ବାପା ମା’ଙ୍କୁ ଦୋଷ ଦେଉଥିବା ବେଳେ ଅନ୍ୟମାନେ ସଂପୃକ୍ତ ମହିଳା ଗାଡ଼ି ଚାଳକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର