ଛତିଶଗଡ଼ରେ ଲଖିମପୁର ଘଟଣାର ପୁନରାବୃତ୍ତି, ଲୋକଙ୍କ ଉପରେ ଚଢିଗଲା ଦ୍ରୁତଗାମୀ କାର, ୧ ମୃତ

ରାୟପୁର : ଉତ୍ତରପ୍ରଦେଶର ଲଖିମପୁରରେ ଗାଡ଼ି ଚଢା ଘଟଣାକୁ ନେଇ ସମଗ୍ର ଦେଶରେ ବିବାଦ ଥମି ନଥିବାବେଳେ ଆଜି ସେହିପରି ଏକ ଘଟଣା ଘଟିଛି ଛତିଶଗଡ଼ର ଯଶପୁରରେ । ଏକ ଦ୍ରୁତଗାମୀ କାର ଦଶହରା ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୬ ଜଣ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି ।

ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି । ଯଶପୁର ଏସପି ବିଜୟ ଅଗ୍ରଓ୍ବାଲ ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ସ୍ବୀକାର କରିବା ସହ ଆହତମାନଙ୍କୁ ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଛି  । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ କେତେକ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି । ଲୋକମାନଙ୍କୁ ଚଢାଇ ପଳାଇଯାଉଥିବାବେଳେ ସ୍ଥାନୀୟ ଲୋକେ କାର ଚାଳକକୁ ଧରି ପ୍ରବଳ ମାଡ଼ ଦେଇଛନ୍ତି । ଏ ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର