ନୂଆଦିଲ୍ଲୀ: ବିହାରର ରାଜଧାନୀ ପଟଣାର ମସୌଡି ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କାର ଭିତରେ ଖେଳୁଥିବା ବେଳେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ‌ତେବେ କାର‌ରେ ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ମୃତକଦ୍ୱୟ ମସୌଡି ଅଞ୍ଚଳର ରାମପୁର ଗାଁର ସଞ୍ଜୀତ କୁମାରଙ୍କ ୮ ବର୍ଷୀୟ ପୁଅ ରାଜପାଳ ଓ ୬ବର୍ଷର ଝିଅ ସୃଷ୍ଟି ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଭାଇ ରାଜପାଳ ଓ ଭଉଣୀ ସୃଷ୍ଟି ଘର ବ‌ାହାରେ ଛିଡ଼ା ହୋଇଥିବା କାର ଭିତରେ ଖେଳୁଥିଲେ।  ଏହି ସମୟରେ କାର ଦ୍ବାର ଭିତରୁ ବନ୍ଦ ହୋଇଯାଇଥିଲା। ଫଳରେ ଦୁଇ ଛୁଆ କାର୍‌ରୁ ବାହାରି ନ ପାରି ଜୋରରେ ଚିତ୍କାର କରିଥିଲେ। କାରରୁ ନିଆଁ ଓ ଧୁଆଁ ବାହାରୁଥିବା ଦେଖି ପରିବାରଲୋକ ଦୌଡ଼ି ଯାଇଥିଲେ। କାରଦ୍ବାର ଖୋଲି ଦେଖିଲା ବେଳକୁ ଭାଇ ଓ ଭଉଣୀ ପୋଡ଼ି ହୋଇଯାଇଥିଲେ।

ଏହି ଘଟଣାପରେ ଚାରିଆଡେ ଚାଞ୍ଚଲ୍ୟ ‌ଖେଳିଯାଇଥିଲା। କିଏ କ’ଣ କରିବେ କିଛି ବୁଝି ପାରୁ ନଥିଲେ। ଶେଷରେ କାର କାଚ ଭାଙ୍ଗି ଦୁଇଶିଶୁଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଘରୋଇ ନର୍ସିଂ ହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  କିନ୍ତୁ ଦୁଃଖର ବିଷୟ ଡାକ୍ତର ଉଭୟ ଭାଇ ଓ ଭଉଣୀଙ୍କୁ ମୃତଘୋଷଣା କରିଥିଲେ।

ମୃତ ଭାଇ ଓ ଭଉଣୀଙ୍କ ପରିବାର ସଦସ୍ୟ ଇନ୍ଦ୍ର କୁମାର କହିଛନ୍ତି, ‘ତିନିମାସ ପୂର୍ବେ ରାଜପାଳ ଓ ସୃଷ୍ଟିଙ୍କ ବ‌ାପା ଏକ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲେ। ଏହି ଅଘଟଣ ଘଟିବା ପୂର୍ବରୁ  କାରରେ ସପରିବାର ବୁଲିବାକୁ ଯାଇଥିଲେ। ବୁଲାସାରି ସମସ୍ତେ ଘରକୁ ଫେରିଥିଲେ। ଏହି ସମୟରେ ଘର ଭିତରେ ବାପା ଓ ମା’ ବ୍ୟସ୍ତ ରହିଯାଇଥିବାବେଳେ ରାଜପାଳ ଓ ସୃଷ୍ଟି ବାହାରକୁ ଆସି କାର ଭିତରେ ଖେଳୁ ଥିଲେ।

ଅନେକ ସମୟ ଧରି ପିଲାଙ୍କୁ ଘରେ ନପାଇବାରୁ ବାପା ଓ ମା’ ଘର ସାମ୍ନାକୁ ଦୌଡ଼ି ଆସି ଦେଖିଲା ବେଳକୁ କାର ଭିତରୁ ନିଆଁ ବାହାରୁଛି। ଆଉ ତା’ଭିତରେ ତାଙ୍କ ଦୁଇ ଝିଅ ଓ ପୁଅ ପୋଡ଼ି ଯାଇ ଗୁରୁତର ଅବସ୍ଥାରେ ପଡ଼ି ରହିଛନ୍ତି। ’