ନୂଆଦିଲ୍ଲୀ: ପୁଲିସ ରେକର୍ଡରେ ‘ସୁପର ନଟବରଲାଲ’ ଏବଂ ‘ଇଣ୍ଡିଆନ୍ ଚାର୍ଲସ୍ ଶୋଭରାଜ’ ଭାବେ ପରିଚିତ ଧନୀରାମ ମିତ୍ତଲ। ଏକ ହଜାରରୁ ଅଧିକ ଅପରାଧରେ ସଂପୃକ୍ତ। ୧୯୬୪ରେ ପ୍ରଥମ ଅପରାଧ କରି ଧରାପଡ଼ିଥିଲା ଏବଂ ଏହାପରେ ତାର ଅପରାଧର ଧାରା ଲମ୍ବି ଚାଲିଲା। ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ ଏବଂ ରାଜସ୍ଥାନରେ ସେ ୨୦୦ରୁ ଅଧିକ କାର୍‌ ଚୋରି ମାମଲାରେ ସଂପୃକ୍ତ ଏବଂ ୯୦ରୁ ଅଧିକ ଥର ଜେଲ୍‌ ଯାଇଥିବା ଜଣାପଡ଼ିଛି। ଆଇନ ସ୍ନାତକ ଧନୀରାମ ଭାରତର ଅନ୍ୟତମ ଶିକ୍ଷିତ ଏବଂ ବୁଦ୍ଧିମାନ ଅପରାଧୀ ଭାବରେ କୁଖ୍ୟାତି ଅର୍ଜନ କରିଥିଲା। ସେ ଜଣେ ହସ୍ତାକ୍ଷର ବିଶେଷଜ୍ଞ ମଧ୍ୟ ଥିଲା। ମିତ୍ତଲ ୧୯୬୮ରୁ ୧୯୭୪ ପର୍ଯ୍ୟନ୍ତ ଜାଲ୍ କାଗଜପତ୍ର ବ୍ୟବହାର କରି ଷ୍ଟେସନ ମାଷ୍ଟର ଭାବେ କାମ କରିଥିଲା ଏବଂ ପରେ ସେ ଚୋର ପାଲଟିଯାଇଥିଲା। ୧୦୦୦ରୁ ଅଧିକ ଚୋରି ଓ ଠକେଇରେ ସଂପୃକ୍ତ ମିତ୍ତଲ ଦିବାଲୋକରେ ଚୋରି କରିବାରେ ରେକର୍ଡ କରିଥିଲା। ଠକେଇ ଓ ଜାଲିଆତିରେ ମଧ୍ୟ ମିତ୍ତଲର ବିସ୍ମୟକର କାରନାମା ରହିଛି।

Advertisment

କେତେକ ନକଲି ଆଦେଶନାମା ବ୍ୟବହାର କରି ମିତ୍ତଲ ହରିୟାଣାର ଝାଜ୍ଜରର ଜଣେ ବିଚାରପତିଙ୍କର ବାଧ୍ୟତାମୂଳକ ଛୁଟି କରାଇଥିଲା। ଏହାପରେ ଜାଲ୍‌ କାଗଜପତ୍ର ବ୍ୟବହାର କରି ମିତ୍ତଲ ଉକ୍ତ ବିଚାରପତିଙ୍କ ସ୍ଥାନରେ ନିଜେ ନିଯୁକ୍ତ ହୋଇ ଦାୟିତ୍ବ ତୁଲାଇଥିଲା। ବିଚାରପତି ଭାବେ ସେ ୨୦ରୁ ଅଧିକ ଅପରାଧୀଙ୍କୁ ମୁକ୍ତ କରିଥିଲା। ଆଇନ ଡିଗ୍ରି ତାକୁ ନକଲି ବିଚାରପତି ହେବାରେ ସାହାଯ୍ୟ କରିଥିଲା। ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଜାମିନକୁ ଗୁରୁତ୍ବ ଦେଇ ଅନେକ କୁଖ୍ୟାତ ଅପରାଧୀଙ୍କୁ ଖଲାସ କରିବାକୁ ସେ ଆଦେଶ ଦେଇଥିଲା।। ରିପୋର୍ଟରୁ ଜଣାପଡିଛି ଯେ ମିତ୍ତଲ ଥରେ ତା ନିଜ ମାମଲାର ଶୁଣାଣି କରିଥିଲା ଏବଂ ଏହା ଉପରେ ରାୟ ଦେଇଥିଲା । ମିତ୍ତଲର ଅପରାଧ ମଧ୍ୟରେ ମୁଖ୍ୟତଃ କାର୍ ଚୋରି, ଠକେଇ ଓ ଜାଲିଆତି ରହିଛି। ତା ବିରୋଧରେ ଏବେ ବି ପ୍ରାୟ ଦୁଇ ଡଜନ ମାମଲା ବିଚାରାଧୀନ ରହିଛି। ଗତ ଗୁରୁବାର ଦିନ ତାର ମୃତ୍ୟୁ ହୋଇଛି। ତାକୁ ୮୫ ବର୍ଷ ହୋଇଥିଲା। ତା ମାମଲାର ତଦନ୍ତ କରିଥିବା ଜଣେ ପୁଲିସ ଅଧିକାରୀ ତାର ଅନ୍ତିମ ସଂସ୍କାର କରିଥିବା ଜଣାପଡ଼ିଛି।