ପୁଲଵାମା ଆତ୍ମଘାତୀ କାର୍‌ ସଂପର୍କରେ ସୂଚନା ମିଳିଲା

ମାଲିକ ଚିହ୍ନଟ, ଜୈସ ସହ ସଂପର୍କ, ଆକ୍ରମଣର ୧୦ ଦିନ ପୂର୍ବରୁ କିଣିଥିଲା, ସ୍କର୍ପିଓ ନୁହେଁ, ମାରୁତି ଇକୋ

ନୂଆଦିଲ୍ଲୀ : ପୁଲଵାମା ଆତ୍ମଘାତୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଜାତୀୟ ଗୁଇନ୍ଦା ସଂସ୍ଥା ଏନ୍ଆଇଏକୁ ବଡ଼ ଧରଣର ସଫଳତା ମିଳିଛି। ଗତ ୧୪ ତାରିଖ ଆକ୍ରମଣରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀମାନେ ବିସ୍ଫୋରକ ବୋଝେଇ କରି ନେଇଥିବା କାର ସମ୍ପର୍କରେ ସବିଶେଷ ତଥ୍ୟ ମିଳିଛି। ଅଭିଜ୍ଞ ମୋଟର ଯାନ ବିଶେଷଜ୍ଞ ଏବଂ ଫୋରେନ୍ସିକ୍ ବିଶେଷଜ୍ଞଙ୍କ ସହାୟତାରେ କାର ଏବଂ ଏହାର ମାଲିକ ଚିହ୍ନଟ ହୋଇଛନ୍ତି। ତେବେ ଗିରଫ ଭୟ‌େର ସେ ଫେରାର ହୋଇଯାଇଛି। ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଜୈ‌ସେ ମହମ୍ମଦ’ ରେ ଯୋଗ ଦେଇଥିବା କୁହାଯାଉଛି। ଆକ୍ରମଣର ୧୦ ଦିନ ପୂର୍ବରୁ ସେ ଏହି କାର କିଣିଥିଲା।

ସେଦିନ ୪୧ ଜଣ ଯବାନଙ୍କ ଜୀବନ ନେଇଥିବା ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ମୋଟର ଗାଡ଼ିଟି ଏକ ମାରୁତି କମ୍ପାନିର ଇକୋ ବୋଲି ଜଣାପଡ଼ିଛି। ଏହାର ଚେସିସ୍ ନଂ ହେଉଛି ମ୍ଏ୩ଇଆରଏଲ୍ଏଫ୍୧ଏସ୍୦୦୧୮୩୭୩୫ ଏବଂ ଇଞ୍ଜିନ୍ ନଂ ହେଉଛି ଜି୧୨ବିଏନ୍୧୬୪୧୪୦। ଆତ୍ମଘାତୀ ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଗାଡ଼ି ମଧ୍ୟ ଚିହ୍ନଟ ହୋଇ ସା‌ରିଛି। ଏହି ଗାଡ଼ିଟି ୮ ବର୍ଷ ପୂର୍ବେ କଶ୍ମୀରରେ ପଞ୍ଜୀକୃତ ହୋଇଥିଲା। ଗାଡ଼ିର ମାଲିକଙ୍କ ଜାଣତରେ ଜେଇଏମ୍‌ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଏହି ଗାଡ଼ି ବ୍ୟବହାର ହେଉଥିଲା।ଏହାକୁ ପ୍ରଥମେ ଅନନ୍ତନାଗ ଅଞ୍ଜଳର ହେଭେନ୍ କଲୋନି ବାସିନ୍ଦା ମହମ୍ମଦ ଜଲିଲ୍ ଅହମ୍ମଦ ହକାନି ୨୦୧୧ ମସିହାରେ କିଣିଥିଲେ। ତେବେ ପରେ ଏହା ପର୍ଯ୍ୟାୟକ୍ରମେ ୭ ଜଣଙ୍କ ପାଖକୁ ହସ୍ତାନ୍ତର ହୋଇଥିବା ବେଳେ ଶେଷରେ ବିଜବେହେରା ବାସିନ୍ଦା ମହମ୍ମଦ ମକବୁଲ ଭଟ୍ଟଙ୍କ ପୁଅ ସଜ୍ଜାଦ ଭଟ୍ଟଙ୍କ ହାତକୁ ଗତ ୪ ତାରିଖରେ ହିଁ ଆସିଥିଲା। ସଜ୍ଜାଦ ସମ୍ପ୍ରତି ସୋପିଆନ ସ୍ଥିତ ସିରାଜ-ଉଲ୍-ଉଲୁମ୍ ଅନୁଷ୍ଠାନର ଜଣେ ଛାତ୍ର ବୋଲି ଜଣାଯାଇଛି। ଗତ ୨୩ ତାରିଖରେ ସ୍ଥାନୀୟ ପୁଲିସ ସହାୟତାରେ ଏନ୍ଆଇଏ ଦଳ ସଜ୍ଜାଦ ଘରେ ଚଢ଼ଉ କରିଥିଲେ। ମାତ୍ର ସେତେବେଳେ ସେ ଘରେ ନଥିବା ଏବଂ ସେବେଠାରୁ ଫେରାର୍ ହୋଇଯାଇଥିବା କୁହାଯାଉଛି। ଅପରପକ୍ଷେ, ସେ ଆକତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦରେ ସାମିଲ ହୋଇଥିବା ମଧ୍ୟ ଶୁଣିବାକୁ ମିଳୁଛି। ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଥିବା ସଜ୍ଜାଦର ଅତ୍ୟାଧୁନିକ ବନ୍ଧୁକ ଧରିଥିବା ଫଟୋ ଏପରି ଅନୁମାନକୁ ବଳିଷ୍ଠ କରିଛି।

ସମ୍ବନ୍ଧିତ ଖବର