ବିହାର ମୁଖ୍ୟମନ୍ତ୍ରୀଙ୍କ କାରକେଡ ଉପରକୁ ପଥରମାଡ଼, ୩ରୁ ୪ଟି ଗାଡିର ଭାଙ୍ଗିଲା କାଚ

ପାଟନା: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ ହୋଇଛି | ଆଉ ଏହି ପଥର ମାଡ଼ ଫଳରେ ୩ରୁ ୪ଟି ଗାଡିର କାଚ ଭାଙ୍ଗିଯାଇଛି | ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ କାରକେଡରେ ନଥିଲେ | ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ ପାଟନା ଜିଲ୍ଲାର ଗୌରୀଚକ ଥାନାର ସୋହଗି ଗ୍ରାମରେ ଏହା ଘଟିଛି | ଯେଉଁଠାରେ କିଛି ଅଜ୍ଞାତ ବ୍ୟକ୍ତି କାରକେଡ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରକେଡ଼ରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ଥିଲେ। ବାସ୍ତବରେ ସୋମବାର ନୀତୀଶ କୁମାର ବିହାର ଜିଲ୍ଲାର ଗୟା ଗସ୍ତରେ ଯିବେ | ସେଠାରେ ମରୁଡ଼ି ପରିସ୍ଥିତିକୁ ନେଇ ଏକ ବୈଠକ କରିବେ ଏବଂ ସେଠାରେ ନିର୍ମିତ ଏକ ରବର ଡ୍ୟାମକୁ ମଧ୍ୟ ନିରୀକ୍ଷଣ କରିବେ।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଗୟାକୁ ଯିବେ | କିନ୍ତୁ ହେଲିପ୍ୟାଡରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ତାଙ୍କ କାରକେଡକୁ ପାଟନାରୁ ଗୟାକୁ ପଠାଯାଉଥିଲା। ତେବେ ଏହି ସମୟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବାର ପ୍ରତିବାଦ କରି ସ୍ଥାନୀୟ ଲୋକ ପାଟନା-ଗୟା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଆଉ ରାସ୍ତା ଅବରୋଧ ସମୟରେ ଗାଡ଼ିଗୁଡ଼ିକ ଯେତେବେଳେ ଯିବା ଆରମ୍ଭ କରିଥିଲେ କ୍ରୋଧିତ ଗ୍ରାମବାସୀ କାରକେଡ ଉପରକୁ ପଥର ଫିଙ୍ଗିଥିଲେ।

ସୂଚନାନୁସାରେ, ସପ୍ତାହକ ପୂର୍ବରୁ ନିଖୋଜ ଯୁବକଙ୍କ ମୃତଦେହ ଗତକାଲି ମିଳିଥିଲା। ଆଉ ଅଭିଯୁକ୍ତ ହତ୍ୟାକାରୀଙ୍କୁ ଗିରଫ ଦାବିରେ ପାଟନା-ଗୟା ମୁଖ୍ୟ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଯାଉଥିବା ଦେଖି ଗ୍ରାମବାସୀ କ୍ରୋଧିତ ହୋଇ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର