ଆମେରିକାରେ ମାତିଛନ୍ତି ପାର୍ସଲ ଲୁଟେରା: କାର୍ଗୋ ଟ୍ରେନ୍‌ରୁ ଚୋରି କରୁଛନ୍ତି, ଆମାଜନ୍, ଫେଡ୍‌ଏକ୍ସ ପ୍ରଭାବିତ

ଖାଲି ପ୍ୟାକେଟ୍, ଓଜନିଆ ସାମଗ୍ରୀ ଟ୍ରାକ୍‌ରେ ଫୋପାଡ଼ୁଛନ୍ତି

ଲସ୍‌ ଆଞ୍ଜେଲ୍‌ସ: ଆମେରିକାର ଲସ୍ ଆଞ୍ଜେଲ୍‌ସରେ କିଛି ମାସ ହେଲାଣି ପାର୍ସଲ ଲୁଟେରା ମାତିଛନ୍ତି। ସେମାନେ କାର୍ଗୋ ଟ୍ରେନ୍‌ରୁ ବହୁ ମାତ୍ରାରେ ପାର୍ସଲ ଚୋରି କରୁଛନ୍ତି। ଯେଉଁ ସ୍ଥାନରେ ଟ୍ରେନ୍ ଅଧିକ ସମୟ ରହୁଛି ସେଠାରେ ଅଧିକ ଚୋରି ହେଉଛି। ବିଭିନ୍ନ ସାମଗ୍ରୀ ଚୋରି କରିବା ପରେ ସେମାନେ ଖାଲି ପ୍ୟାକେଟ୍‌ଗୁଡ଼ିକୁ ରେଳ ଧାରଣାରେ ଫୋପାଡ଼ି ଦେଉଛନ୍ତି। ଫଳରେ ଅନ୍‌ଲାଇନ୍‌ରେ ବରାଦ କରିଥିବା ବହୁ ଗ୍ରାହକଙ୍କ ପାଖରେ ସେମାନେ ମଗାଇଥିବା ସାମଗ୍ରୀ ପହଞ୍ଚିପାରୁନାହିଁ। କାର୍ଗୋ ଟ୍ରେନ୍ ଚଳାଚଳ ଦାୟିତ୍ବରେ ଥିବା ସଂସ୍ଥା ‘ୟୁନିଅନ୍ ପାସିଫିକ୍’ ଏଭଳି ଚୋରିକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛି। ପାର୍ସଲ ଚୋରି ଦ୍ବାରା ଆମେରିକାର ବହୁ ପ୍ରମୁଖ କଂପାନି ଯଥା‌ ଆମାଜନ, ଟାର୍ଗେଟ୍, ୟୁପିଏସ୍ ଓ ଫେଡ୍‌ଏକ୍ସ ଆଦି ପ୍ରଭାବିତ ହୋଇଛନ୍ତି।

ଚୋରମାନେ ଲମ୍ବା ମାଲବାହୀ ଟ୍ରେନ୍‌କୁ ଅପେକ୍ଷା କରୁଛନ୍ତି। ରେଳ ଧାରଣାରେ ତାହା ଅଟକିବା ପରେ ସେମାନେ ମାଲ ଥିବା କଣ୍ଟେନର ଉପରୁ ଚଢ଼ିଯାଉଛନ୍ତି। ବୋଲ୍ଟ କଟର୍‌ ଜରିଆରେ ତାହାର ତାଲାକୁ ସହଜରେ ଖୋଲି ଦେଉଛନ୍ତି। ସେଥିରୁ ବହୁ ପରିମାଣର ସାମଗ୍ରୀ ତଳକୁ ଆଣୁଛନ୍ତି। ଯେଉଁ ସାମଗ୍ରୀଗୁଡ଼ିକ ଓଜନିଆ, ବଡ଼ କିମ୍ବା ବୋହି ହେଉନାହିଁ ତାହାକୁ ସେଠାରେ ଛାଡ଼ି ଦେଉଛନ୍ତି। କୋଭିଡ୍ ପରୀକ୍ଷା କିଟ୍, ଫର୍ଣ୍ଣିଚର୍ ଏବଂ କମ୍ ମୂଲ୍ୟର ସାମଗ୍ରୀଗୁଡ଼ିକୁ ମଧ୍ୟ ସେମାନେ ଛାଡ଼ି ଦେଉଛନ୍ତି। ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ନେଇଯିବା ପରେ ତାହାର ପ୍ୟାକେଟ୍‌କୁ ରେଳ ଧାରଣା ଉପରେ ଫୋପାଡ଼ି ଦେଉଛନ୍ତି। ୨୦୨୦ ଡିସେମ୍ବର ପରଠାରୁ ଏଭଳି ଚୋରି ମାମଲାରେ ୧୬୦% ବୃଦ୍ଧି ହୋଇଛି। ୨୦୨୦ ଅକ୍ଟୋବର ତୁଳନାରେ ୨୦୨୧ ଅକ୍ଟୋବରେ ଚୋରି ମାମଲାରେ ୩୫୬% ବୃଦ୍ଧି ହୋଇଛି। ଲୁଟେରାମାନେ କେବଳ ଚୋରି କରୁନାହାନ୍ତି, ବରଂ ମାଲବାହୀ ଟ୍ରେନ୍‌କୁ ଜଗୁଥିବା କର୍ମଚାରୀମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିବାକୁ ପଛାଉନାହାନ୍ତି।

ସମ୍ବନ୍ଧିତ ଖବର