କୋଷ୍ଟାରିକାରେ ଜରୁରୀ ଅବତରଣ ବେଳେ ଦୁଇଫାଳ ହୋଇଗଲା ପଣ୍ୟବାହୀ ବିମାନ

ସାନ୍‌ଜୋସ୍‌: ଗୁରୁବାର ଦିନ କୋଷ୍ଟାରିକାରେ ଅବତରଣ କରିବା ବେଳେ ଗୋଟାଏ ପଣ୍ୟବାହୀ ବିମାନ ଦୁଇଗଡ଼ ହୋଇଯିବାରୁ ସାନ୍‌ଜୋସ୍‌ସ୍ଥିତ ଜୁଆନ୍‌ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା।

ପ୍ରଖ୍ୟାତ ଜର୍ମାନ୍‌ ପରିବହନକାରୀ କମ୍ପାନି ‘ଡିଏଚ୍‌ଏଲ୍‌’ର ବୋଇଙ୍ଗ୍‌ ୭୫୭-୨୦୦ ପଣ୍ୟବାହୀ ବିମାନଟି ରନ୍‌ୱେରୁ ଖସିଯିବା ସହ  ଘୂରି ଘୂରି ପଛ ଚକା ପାଖରୁ ଦୁଇଗଡ଼ ହୋଇ ଭାଙ୍ଗିଯାଇଥିଲା। ପରେ ପରେ ଉଜ୍ଜ୍ବଳ ହଳଦିଆର ରଙ୍ଗର ଉକ୍ତ ଭଙ୍ଗା ବିମାନରୁ ଧୂଆଁ କୁଣ୍ଡଳୀ ଉଠିଥିଲା।

Image Courtesy of The Guardian

କିନ୍ତୁ, ବିମାନରେ ଥିବା ପାଇଲଟ୍‌ ଓ ସହକାରୀ ପାଇଲଟ୍‌ ନିରାପଦରେ ବାହାରି ଆସିଛନ୍ତି ବୋଲି କୋଷ୍ଟାରିକା ଦମକଳ ବିଭାଗର ମୁଖ୍ୟ ହେକ୍ଟର୍‌ ସାଭେସ୍‌ କହିଛନ୍ତି। ଡାକ୍ତରୀ ପରୀକ୍ଷା ନିମନ୍ତେ ଗୁଏଟେମାଲାର ସେ ପାଇଲଟ୍‌ ଦୁଇଜଣଙ୍କୁ ହସ୍ପିଟାଲ୍‌ ପଠାଇ ଦିଆଯାଇଛି ବୋଲି ଗିଡୋ ଭାସ୍‌କ୍ବେଜ୍‌ ନାମରେ ଜଣେ ‘ରେଡ୍‌ କ୍ରସ୍‌’ କର୍ମୀ କହିଛନ୍ତି।

ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଉକ୍ତ ବିମାନଟି ସାନ୍‌ଜୋସ୍‌ ବାହାରେ ଥିବା ଜୁଆନ୍‌ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୨୫ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ ପାଇଁ ବାଧ୍ୟ ହୋଇଥିଲା। ବିମାନରେ ହା‌ଇଡ୍ରୋଲିକ୍‌ ସମସ୍ୟା ଦେଖା ଦେଇଥିବା କଥା ପାଇଲଟ୍‌ମାନେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ସୂଚନା ଦେଇଥିଲେ।

ଏଥିଯୋଗୁଁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର